ବିବାହର ୧୮ ବର୍ଷ ପରେ ମେରି କମ୍‌ଙ୍କ ଛାଡ଼ପତ୍ର, ଅନ୍ୟ କାହା ସହ ସମ୍ପର୍କକୁ କଲେ ଖଣ୍ଡନ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ବକ୍ସର ମେରି କମ୍ ବୁଧବାର ନିଜ ଛାଡ଼ପତ୍ର ଖବରକୁ ସ୍ପଷ୍ଟ କରିଛନ୍ତି । ସ୍ୱାମୀ କାରୁଙ୍ଗ୍ ଅନଲରଙ୍କ ଠାରୁ ଛାଡପତ୍ରକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛନ୍ତି । ଏକ ବୟାନରେ ମେରି କମ୍ କହିଛନ୍ତି ଯେ ୨୦୨୩ ଡିସେମ୍ୱର ୨୦ରେ ପରସ୍ପରର ସହମତିରେ କମ୍ ପ୍ରଥା ଅନୁଯାୟୀ ଛାଡ଼ପତ୍ର ହୋଇଛି । ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ । ମେରି କମଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ପ୍ରଚାର ହେବା ପରେ ସେ ଏହା ଉପରେ ମୁହଁ ଖୋଲିଛନ୍ତି । ଛାଡ଼ପତ୍ରର ପ୍ରାୟ ୧୬ ମାସ ପରେ ଏବେ ସେ ଏହା ଘୋଷଣା କରିଛନ୍ତି । 

କିଛି ଖବରରେ ଦାବି କରାଯାଇଥିଲା ଯେ ମେରି କମ୍‌ଙ୍କ ସମ୍ପର୍କ ତାଙ୍କ ବିଜନେସ୍ ପାର୍ଟନର ହିତେଶ ଚୌଧୁରୀଙ୍କ ସହ ରହିଛି । ମେରି କମ୍ ଫାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି ହିତେଶ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ମେରି କମ୍ ଏକ ଆଇନଗତ ନୋଟିସକୁ ସେୟାର କରିଛନ୍ତି । ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ତାଙ୍କ ଛାଡ଼ପତ୍ର ସୌହାର୍ଦପୂର୍ଣ୍ଣ ଭାବେ ଅନେକ ମାସ ପୂର୍ବରୁ ହୋଇସାରିଛି ଓ ଏବେ ସେ ଏଥିରୁ ଆଗରୁ ବଢିସାରିଛନ୍ତି । ସେ ନିଜ ପୂର୍ବ ବିବାହ ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁନାହାନ୍ତି ।

ବୟାନ ଅନୁସାରେ ହିତେଶ ଚୌଧୁରୀ କିମ୍ୱା ଅନ୍ୟ କାହା ସହ ସମ୍ପର୍କରେ ଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଏଥିରେ ସେ ଗୋପନୀୟତାର ସମ୍ମାନ କରିବା ଓ ଭୁଲ ସୂଚନା ପ୍ରଚାରଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ସେ ଚେତାବନୀ ଦେଇଛନ୍ତି ଯେ ଯଦି ନିର୍ଦ୍ଦେଶର ପାଳନ ନକରାଯାଏ ତେବେ ମାନହାନି ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପାଡ଼ିପାରେ । 

ମେରି କମ୍ ଏହା ବି କହିଛନ୍ତି ଯେ ଗତ ଦୁଇ ବର୍ଷ ତାଙ୍କ ବ୍ୟକ୍ତିଗତ ଜୀବନ କଠିନ ରହିଛି । ନିଜ ପ୍ରଶଂସକ, ବନ୍ଧୁ ଓ ଲୋକଙ୍କୁ ଏସବୁ ଆଲୋଚନାଠାରୁ ଦୂରେଇ ରହିବା ପାଇଁ ଅପିଲ୍ କରିଛନ୍ତି । ୨୦୧୨ ମସିହାରେ ମେରି କମ୍ ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତୀତ ୪୨ ବର୍ଷିୟ ବକ୍ସର ୱାର୍ଲଡ୍ ଚାମ୍ପିଅନଶିପରେ ୬ଟି ସ୍ୱର୍ଣ୍ଣ ସମେତ ୮ ପଦକ ଜିତିଛନ୍ତି । ୱାର୍ଲଡ ଚାମ୍ପିଅନଶିପରେ ୬ ସ୍ୱର୍ଣ୍ଣ ଜିତିବାରେ ସେ ଦୁନିଆର ଏକ ମାତ୍ର ମହିଳା ବକ୍ସର । ୨୦୦୬ରେ ପଦ୍ମଶ୍ରୀ, ୨୦୧୩ରେ ପଦ୍ମ ଭୂଷଣ ଓ ୨୦୨୦ରେ ପଦ୍ମ ବିଭୂଷଣରେ ମେରି କମ୍ ସମ୍ମାନିତ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.