ବୈପାରୀଗୁଡା ୧/୩: ଲୁଟେରାଙ୍କୁ କିଛି ଅଣ୍ଟୁନି । ଯେଉଁଠି ଯାହା ପାଉଛନ୍ତି ନେଇ ପଳାଉଛନ୍ତି । କିଛି ଦିନ ଧରି ଆପାର୍ଟମେଣ୍ଟ,ଘର ଓ ମନ୍ଦିରରେ ପଶି କଳାକନା ବୁଲାଉଥିଲେ । ଏବେ ସ୍କୁଲ ପିଲାଙ୍କ ଚାଉଳ ଉପରେ ଆଖି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ପେନ୍ଦାପଡା ପଞ୍ଚାୟତର ସରକାରୀ ଏସ୍ଏସ୍ଡି ଗୁପ୍ତେଶ୍ବର ହାଇସ୍କୁଲରୁ ଆସିଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍ର ଖବର ।
ଷ୍ଟୋର ରୁମ୍ର ତଳ କବାଟ ଭାଙ୍ଗି ନେଇଯାଇଛନ୍ତି ୧୩ ବସ୍ତା ଚାଉଳ । ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ବରେ ଥିବା ମାଆ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯେତେବେଳେ ରାନ୍ଧିବାକୁ ବିଦ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ଷ୍ଟୋର ରୁମ୍ର ଟିଣ କବାଟର ତଳ ଭାଗ ଭଙ୍ଗା ଯାଇଥିବା ଦେଖି ଚାଉଳ ବସ୍ତା ଚୋରି ହୋଇଥିବା ନେଇ ସନ୍ଦେହ ହୋଇଥିଲା ।
ଷ୍ଟୋର ରୁମ୍ର ଚାବି ଖୋଲି ଦେଖିଲା ବେଳକୁ ସତକୁସତ ୧୩ ବସ୍ତା ଚାଉଳ ନଥିଲା । ଚାଉଳ ଚୋରି ସଂପର୍କରେ ତୁରନ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ପରେ ରାମଗିରି ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ ତଦନ୍ତ କରୁଛି ପୋଲିସ ।