ବଢିବ ବିଧାୟକଙ୍କ ଦରମା ଓ ପେନସନ ! ଗଠନ ହେଲା କମିଟି

Published By : Prameya-News7 Bureau | December 03, 2024 IST

ଭୁବନେଶ୍ଵର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଥିବା ଘୋଷଣା କରିଛନ୍ତି  ବାଚସ୍ପତି ସୁରମା ପାଢୀ। ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ ହୋଇଛି। ଏହି କମିଟି ଦରମା ଓ ପେନସନ ବୃଦ୍ଧି ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। 

ଏହି ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ  ରାମ କାଡାମ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ରହିଛନ୍ତି। ଆଜି ଶୂନ୍ୟକାଳରେ ଆଲୋଚନା ସମୟରେ ବିଧାୟକ ମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କର ପେନସନ ବୃଦ୍ଧି ପାଇଁ ଦାବି ଉଠିଥିଲା। 

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ । ତେଣୁ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ତେଣୁ ପେନସନ ସହ ବିଧାୟକ ମାନଙ୍କର ଦରମା ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । 

Also read: ବିଜେପି ଶାସିତ ରାଜ୍ୟରେ ଦରଦାମ ଅଧିକ, ରାଜ୍ୟରେ ଏବେ ଚାଲିଛି ବିଚିତ୍ର ଶାସନ ବ୍ୟବସ୍ଥା

ଓଡ଼ିଶାରେ ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ବିଧାୟକ ମାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଛି । ବିଧାୟକ ଉନ୍ନୟନ ପାଣ୍ଠି ୩ କୋଟି ଟଙ୍କା ଦିଆଯାଉଛି । କିନ୍ତୁ୩ କୋଟି ଟଙ୍କା ଯଥେଷ୍ଟ ନୁହେଁ। ତେଣୁ ବିଧାୟକ ପାଣ୍ଠି ୫ କୋଟି ଟଙ୍କା କରାଯାଉ ବୋଲି ଦାବି କରିଥିଲେ ପ୍ରମିଳା । 

ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ମଧ୍ୟ ଦାବି କରିଥିଲେ। ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ଏହି ଦାବି ଗୁଡ଼ିକୁ ସମର୍ଥନ କରିଛନ୍ତି । ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି ଭାସ୍କର କହିଛନ୍ତି।

Also read: ବିଶେଶ୍ବର ଟୁଡୁଙ୍କ ବଡ଼ ବୟାନ, ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ କୁମାର ଯାଇପାରନ୍ତି ରାଜ୍ୟସଭା

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ । ଅବସର ପରେ ବି କୋଠା ଘରେ ରହୁଛନ୍ତି । କିନ୍ତୁ ବିଧାୟକ ମାନଙ୍କର ହୃଦୟ ନିର୍ମଳ, ପକେଟ ଖାଲି । ନିର୍ବାଚନ ମଣ୍ଡଳୀରେ ଲୋକ ମାନେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକ ମାନଙ୍କୁ ଦାବି ଜଣାଉଛନ୍ତି। ତେଣୁ ବିଧାୟକ ପାଣ୍ଠି ବୃଦ୍ଧି କରି ୫ କୋଟି କରାଯାଉ ବୋଲି ଦାବି କରିଛନ୍ତି ତାରା । ସାମ୍ବାଦିକ ମାନଙ୍କ ସ୍ବାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ତାରା ଦାବି କରିଛନ୍ତି ।

ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ବିଧାୟକ ମାନଙ୍କ ଆନୁଷଙ୍ଗିକ ଖର୍ଚ୍ଚ ଅନୁସାରେ ଦରମା ବହୁତ କମ । ତେଣୁ କମିଟି ସୁପାରିଶ ଅନୁସାରେ ବିଧାୟକ ମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ । 

ବିଧାୟକମାନଙ୍କ ମତ ଜାଣିବା ପରେ  ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାୟକ ମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହୋଇଛି। ତେଣୁ ବିଧାୟକ ମାନଙ୍କ ଦରମା, ପୂର୍ବତନ ବିଧାୟକ ମାନଙ୍କ ପେନସନ ଓ ବିଧାୟକ ପାଣ୍ଠି ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.