ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ମାମଲା: ଶୁଣାଣିରୁ ଓହରି ଗଲେ ପ୍ରଧାନ ବିଚାରପତି

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ ୦୪/୧୨: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତୀୟ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା । ମାମଲାର ଶୁଣାଣି ଜାନୁଆରୀ ୬ରେ ହେବ ଏବଂ ଏଥିପାଇଁ ନୂଆ ଖଣ୍ଡପୀଠ ଗଠନ କରାଯିବ । 

୨୦୨୩ ମାର୍ଚ୍ଚରେ ସୁପ୍ରିମକୋର୍ଟ ଐତିହାସିକ ଫଇସଲା ଶୁଣାଇ କହିଥିଲେ ଯେ, ସିଇସି ଏବଂ ଇସି ନିଯୁକ୍ତି ତିନ ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା କରାଯିବ । କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସାମିଲ ହେବେ । ସୁପ୍ରିମକୋର୍ଟର ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ଫଇସଲା ଶୁଣାଇଥିବାବେଳେ ଏଥିରେ ସିଜେଆଇ ଖାନ୍ନା ମଧ୍ୟ ସେତେବେଳେ ସାମିଲ ଥିଲେ । ସେହି ସମୟରେ ସିଜେଆଇ ଖାନ୍ନା ସୁପ୍ରିମକୋର୍ଟର ଜଷ୍ଟିସ୍‌ ଥିଲେ । 

ତେବେ ୨୦୨୩ ଡିସେମ୍ବର ୨୧ରେ ସରକାର ଏକ ନୂଆ ବିଧେୟକ ପାରିତ କରି ଉକ୍ତ କମିଟିରୁ ସିଜେଆଇଙ୍କୁ ହଟାଇଥିଲେ । ସିଜେଆଇଙ୍କ ସ୍ଥାନରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା । ସେହି ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବାଛିବେ ବୋଲି ବିଲ୍‌ରେ ରହିଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଜୟା ଠାକୁର ପିଟିସନ କରିଛନ୍ତି । 

ଏହି ବିବାଦ ସତ୍ତେ୍ୱ କେନ୍ଦ୍ର ସରକାର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଥିଲେ । ଏପରି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ବିଲ୍‌ ଆଣି ଏହି ସାମ୍ବିଧାନିକ ପୀଠକୁ ଦୁର୍ବଳ କରୁଥିବା ବିରୋଧୀ ଅଭିଯୋଗ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.