ମୁମ୍ବାଇ ୪।୧୨: ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡାଇରେକ୍ଟର ନିଯୁକ୍ତି ପାଇଛନ୍ତି। ସଚ୍ଚିନ ଖୁସିରେ ନିଜେ ଏହି କଥା ଘୋଷଣା କରିଛନ୍ତି। ସଚ୍ଚିନ ତେନ୍ଦୁଲକର ଇଂଷ୍ଟାଗ୍ରାମରେ ତାଙ୍କ ଝିଅଙ୍କ ନୂଆ କାମକୁ ନେଇ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହା ଜଣାଇବାକୁ ଖୁସି ଲାଗୁଛି ସଚ୍ଚିନ ତେନ୍ଦୁଲକର ଫାଉଣ୍ଡେସନରେ ସାରା ତେନ୍ଦୁଲକର ଡାଇରେକ୍ଟର ପଦବୀରେ ଯୋଗ ଦେଇଛନ୍ତି। ସଚ୍ଚିନ ତେନ୍ଦୁଲକର ଫାଉଣ୍ଡେସନ ଭାରତର ଦିଗ୍ଗଜ କ୍ରିକେଟରଙ୍କ ଦ୍ୱାରା ଚଳାଯାଉଥିବା ଏକ ଏନଜିଓ।
ଏହି ଏନଜିଓ ପିଲାଙ୍କ ବିକାଶ, ସେମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଏକ ଅନୁଷ୍ଠାନ। ସାରା ତେନ୍ଦୁଲକର ଲଣ୍ଡନ ୟୁନିଭର୍ସିଟି କଲେଜରୁ କ୍ଲିନିକାଲ ଆଣ୍ଡ ପବ୍ଲିକ୍ ହେଲଥ ନ୍ୟୁଟ୍ରିସନରେ ମାଷ୍ଟରଡିଗ୍ରି ପ୍ରାପ୍ତ କରିଛନ୍ତି। ଏହି ବର୍ଷ ସାରାଙ୍କ ପାଠପଢା ଶେଷ ହୋଇଛି ଓ ସେ ସଚ୍ଚିନ ତେନ୍ଦୁଲକର ଫାଉଣ୍ଡେସନରେ କାମ କରିବେ। ମାଷ୍ଟରଡିଗ୍ରି ପଢୁଥିବା କାଳରେ ସାରା ଅନେକ ଥର ତାଙ୍କ ପିତାଙ୍କ ଏନଜିଓ ଯାଇଛନ୍ତି। ଏଥିରୁ ଜଣାପଡୁଥିଲା ତାଙ୍କର ମନ ପିଲାଙ୍କ ଶିକ୍ଷା ଓ ବିକାଶ କ୍ଷେତ୍ରରେ ରହିଛି।
ସଚ୍ଚିନ ତେନ୍ଦୁଲକର ଫାଉଣ୍ଡେସନର ଦାୟିତ୍ୱ ନେବା ପୂର୍ବରୁ ସାରା ତେନ୍ଦୁଲକର ଗ୍ରାମାଞ୍ଚଳକୁ ତାଙ୍କ ମାଙ୍କ ସହ ଯାଇ ଏନଜିଓ ଲାଗି ଅନେକ କାମ କରିଛନ୍ତି। ତାଙ୍କ କାମର ଅପଡେଟ ସାରା ତାଙ୍କ ସୋସିଆଲ ମିଡିଆରେ ସେୟାର କରୁଥିଲେ। ଏଥିରୁ ସେ ସମାଜ ସେବା କ୍ଷେତ୍ରକୁ ପ୍ରବେଶ କରିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ସାରା ସୋସିଆଲ ମିଡିଆରେ ମଧ୍ୟ ବେସ୍ ସକ୍ରିୟ।