ଆମେ ଏକ ଅଛୁ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ କେବଳ ନାଁକୁ ମାତ୍ର: ଦେବେନ୍ଦ୍ର ଫଡ଼ନବିସ

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ: ଦେବେନ୍ଦ୍ର ଫଡ଼ନବିସ ବୁଧବାର ବିଜେପି ବିଧାୟକ ଦଳ ନିର୍ବାଚିତ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଛି । ଗୁରୁବାର ସଂଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଏହା ପୂର୍ବରୁ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାରଙ୍କ ସହ ମିଶି ରାଜଭବନ ପହଞ୍ଚି ସରକାର ଗଠନ ପାଇଁ ଦାବିପତ୍ର ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତିନି ନେତା ଗୋଟିଏ ଗାଡ଼ିରେ ରାଜଭବନ ପହଞ୍ଚି ଏକ ଥିବା ସନ୍ଦେଶ ଦେଇଛନ୍ତି । ବିଜେପି ନେତା କହିଛନ୍ତି ମହାୟୁତିକୁ ବହୁମତ ମିଳିଛି ଏବଂ ଆମେ ସମସ୍ତେ ମିଶି ସରକାର ଗଠନ ପାଇଁ ଦାବି କରିଛୁ ।

ଦେବେନ୍ଦ୍ର ଫଡ଼ନବିସ କହିଛନ୍ତି ଯେ ମହାୟୁତିରେ କୌଣସି ପ୍ରକାର ମତଭେଦ ନାହିଁ । ଆମେ ତିନି ଏକ ହୋଇ କାମ କରିଛୁ । ଭବିଷ୍ୟତରେ ବି ଆମେ ଏକାସଙ୍ଗରେ କାମ କରିବୁ । ଏକ ହୋଇ କାମ କରିବା ପାଇଁ ଏହି ବହୁମତ ମିଳିଛି । ଜନତାଙ୍କୁ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରୟାସ କରିବୁ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦ କେବଳ ନାଁକୁ ମାତ୍ର । ପ୍ରକୃତରେ ଆମେ ତିନି ଏକ ଅଛୁ ଏବଂ ମିଳିମିଶି ଜନତାଙ୍କ ହିତରେ କାମ କରିବୁ ।

ଦେବେନ୍ଦ୍ର ଫଡ଼ନବିସ ଏହି ଅବସରରେ ଏକନାଥ ସିନ୍ଦେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଡନବିସ କହିଛନ୍ତି, 'ଶିବସେନା ଅଧ୍ୟକ୍ଷ ଏବଂ ପାର୍ଟିର ବିଧାୟକ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋ ନାଁରେ ସମର୍ଥନ ପତ୍ର ଦେଇଥିବାରୁ ଧନ୍ୟବାଦ । ଅନେକ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ଆମକୁ ସମର୍ଥନ ଦେଇଛନ୍ତି । ସମସ୍ତ ସମର୍ଥନ ପତ୍ରକୁ ଦେଖି ସରକାର ଗଠନ ପାଇଁ ରାଜ୍ୟପାଳ ଆମକୁ ଆମନ୍ତ୍ରିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।'

ଏହି ଅବସରରେ ଏନସିପି ମୁଖ୍ୟ ଅଜିତ୍ ପାୱାର ବୟାନ ଦେଇ ମିଡିଆରେ ଚାଲିଥିବା ଖବରକୁ ଖଣ୍ଡନ କରିଛନ୍ତି । କ୍ୟାବିନେଟ୍‌ରେ ଭଲ ମନ୍ତ୍ରଣାଳୟ ପାଇଁ ବିଜେପି ଉପରେ ଚାପ ପକାଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏହାସହ ବ୍ୟକ୍ତିଗତ କାରଣରୁ ସେ ଦିଲ୍ଲୀ ଗସ୍ତ କରିଥିବା କହିଛନ୍ତି । ରାଜ୍ୟର ହିତରେ ମିଳିମିଶି କାମ କରିବେ ବୋଲି ଅଜିତ୍ ପାୱାର ଭରସା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.