ନୂଆଦିଲ୍ଲୀ: ଦେବେନ୍ଦ୍ର ଫଡନବିସ, ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ମିଳିତ ଭାବେ ମହାରାଷ୍ଟ୍ରରେ ମହାୟୁତିର ସରକାର ଗଠନ ପାଇଁ ଦାବି କରିଛନ୍ତି । ଏହି ଦାବି ଆଧାରରେ ମହାରାଷ୍ଟ୍ର ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହାପରେ ତିନି ନେତା ମିଳିତ ଭାବେ ମିଡିଆକୁ ସମ୍ୱୋଧନ କରିଛନ୍ତି । ଏହି ଅବସରରେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ବୋଲି ସାମ୍ୱାଦିକ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ଏକନାଥ ସନ୍ଦେ କହିଥିଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ସ୍ପଷ୍ଟ ହୋଇଯିବ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଧ୍ୟାରେ ହେବ । ସିନ୍ଦେଙ୍କ ଏହି ବୟାନ ଭିତରେ ଅଜିତ୍ ପାୱାର ମଜାଳିଆ ଢଙ୍ଗରେ କହିଥିଲେ ମୁଁ ଶପଥ ନେବା ନିଶ୍ଚିତ, ଏକନାଥ ସିନ୍ଦେ ତାଙ୍କ କଥା ସ୍ଥିର କରିବେ ।
ଅଜିତ୍ ପାୱାରଙ୍କ ଏଭଳି ବୟାନ ପରେ ସେଠାରେ ଉପସ୍ଥିତ ସମସ୍ତେ ଜୋରରେ ହସିବାକୁ ଲାଗିଥିଲେ । ଏକନାଥ ସିନ୍ଦେ ମଧ୍ୟ ହସ ହସରେ ଅଜିତ୍ ପାୱାରଙ୍କୁ କଟାକ୍ଷ କରିଥିଲେ । ସିନ୍ଦେ କହିଥିଲେ, ଆଜିତ୍ ଦାଦାଙ୍କୁ ଶପଥ ନେବାର ଅନୁଭବ ରହିଛି । ସକାଳେ ଏବଂ ସଂଧ୍ୟାରେ ଶପଥ ନେବାର ଅନୁଭବ ତାଙ୍କ ପାଖରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ପରିଣାମ ପରେ ଅଜିତ୍ ପାୱାର ଏବଂ ଦେବେନ୍ଦ୍ର ଫଡ଼ନବିସ ଭୋରୁ ଭୋରୁ ଶପଥ ନେଇଥିଲେ । ଦେବେନ୍ଦ୍ର ପଡ଼ନବିସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଅଜିତ୍ ପାୱାର ତାଙ୍କ ଦଳର ବିଧାୟକଙ୍କ ସମର୍ଥନ ହାସଲ କରିପାରି ନଥିଲେ । ଏହି କାରଣରୁ ସରକାର ୩ ଦିନରେ ଭାଙ୍ଗି ଯାଇଥିଲା । ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲା ।
୨୦୨୨ ମସିହାରେ ମହାଅଘାଡ଼ି ସରକାର ଭାଙ୍ଗିଗଲା ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାୟୁତି ସରକାର ହେଲା । ପରେ ଏନସିପିର ୪୦ ବିଧାୟକଙ୍କୁ ଧରି ମହାୟୁତି ସରକାରରେ ସାମିଲ ହୋଇଥିଲେ ଅଜିତ୍ ପାୱାର । ଏହାସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ସଂଧ୍ୟାରେ ଶପଥ ନେଇଥିଲେ । ଦେବେନ୍ଦ୍ର ଫଡ଼ନବିସଙ୍କ ନେତୃତ୍ୱରେ ଆଗାମୀ ମହାରାଷ୍ଟ୍ର ସରକାରରେ ବି ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ହେବେ । ତେବେ ସରକାରରେ ଏକନାଥ ସିନ୍ଦେଙ୍କ ଭୂମିକାକୁ ନେଇ ବର୍ତ୍ତମାନ ଯାଏ ଚିତ୍ର ଅସ୍ପଷ୍ଟ ରହିଛି ।