ନୂଆଦିଲ୍ଲୀ ୪।୧୨: ଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିଧେୟକ ଉପସ୍ଥାପନ କରି ଏହାର ୧୯ଟି ସଂଶୋଧନ ଉପରେ ଚର୍ଚ୍ଚା କରିଛନ୍ତି। ଏହି ବିଧେୟକ ଗୃହୀତ ହେବା ପରେ ବ୍ୟାଙ୍କ ଖାତାଧାରୀଙ୍କୁ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସ ଡିପୋଜିଟ(ଏଫଡି) ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଗ୍ରାହକଙ୍କୁ ସୁବିଧା ଓ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଶରଳ କରିବା ପାଇଁ ଏହି ସଂଶୋଧନକୁ ଗୃହୀତ କରାଯାଇଛି।
ଲୋକସଭାରେ ବ୍ୟାଙ୍କିଙ୍ଗ ଲ ଆମେଣ୍ଡମେଣ୍ଟ ବିଲ-୨୦୨୪ଗୃହୀତ ହେବା ପରେ ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ମିଆଦି ଜମା କ୍ଷେତ୍ରରେ ଜଣକ ଜାଗାରେ ୪ ଜଣ ନୋମିନୀ ଯୋଡିବାକୁ ଅଧିକାର ମିଳିବ। ଏପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ଖାତାଧାରୀଙ୍କୁ ମାତ୍ର ଜଣକୁ ନୋମିନୀ ରଖିବାକୁ ଅନୁମତି ଦିଆଯାଉଥିଲା। ନିୟମରେ ଏପରି ପରିବର୍ତ୍ତନ ଅନକ୍ଲେମଡ ଏମାଉଣ୍ଟକୁ ଉଚିତ ଉତ୍ତରାଧିକାରୀଙ୍କୁ ପ୍ରଦାନ ନିମନ୍ତେ କରାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ମୁତାବକ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କରେ ପାଖାପାଖି ୭୮,୦୦୦ କୋଟି ଟଙ୍କା ଅନକ୍ଲେମଡ ରାଶି ଭାବେ ପଡିରହିଛି। ବ୍ୟାଙ୍କ ଆକାଉଣ୍ଟ ହେଉ କି ମିଆଦି ଜମା (ଏଫଡି) ଏଥିରେ ସର୍ବାଧିକ ୪ ନୋମିନୀ ନାମିତ ହେବା ଯୋଗୁ ଖାତାଧାରକ ଏକାଠି ସବୁ ନୋମିନୀଙ୍କୁ ଅର୍ଥ ଫେରାଇବାକୁ ପଡିବ କି ପ୍ରତି ନୋମିନୀ ଅନୁସାରେ କେତେ ଲେଖାଏଁ ଦେବେ ତାହା ନିଜେ ପରାମର୍ଶ କରିପାରିବେ।
ସେହିପରି ଦ୍ୱିତୀୟ ଉପାୟରେ ଖାତାଧାରକ କ୍ରମାଙ୍କରେ ନୋମିନୀଙ୍କୁ ରଖିପାରିବେ। କାହାପରେ କାହାକୁ କେତେ ରାଶି ଦେବାକୁ ହେବ ତାହା ମଧ୍ୟ ଖାତାଧାରକ ପରାମର୍ଶ କରିପାରିବେ। ଏହି ଉପାୟରେ ନୋମିନୀମାନଙ୍କୁ ଜଣକ ପରେ ଜଣେ ବ୍ୟାଙ୍କରୁ ସଞ୍ଚୟକାରୀଙ୍କ ଶେଷ ଅର୍ଥ ପାଇପାରିବେ। ନୂଆ ନିୟମରେ ଆକାଉଣ୍ଟ ହୋଲ୍ଡରଙ୍କ ପରିବାରକୁ ସଞ୍ଚିତ ବଳକା ରାଶି ପହଞ୍ଚାଇବାରେ ବ୍ୟାଙ୍କକୁ ସୁବିଧା ହେବ। ଏହା ଛଡା ନୂଆ ବ୍ୟାଙ୍କିଙ୍ଗ ବିଲ ଅନୁସାରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ଡାଇରେକ୍ଟର୍ସ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରେ କାମ କରିପାରିବେ।
ସେହିପରି ବିଧେୟକରେ କୋ-ଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୮ ବର୍ଷରୁ ବଢାଇ ୧୦ ବର୍ଷ କରାଯାଇଛି। ତେବେ ଏହି ସଂଶୋଧିତ ନିୟମ କୋ-ଅପରେଟିଭ ବ୍ୟାଙ୍କମାନଙ୍କ ଚେୟାରମ୍ୟାନ ଓ ହୋଲଟାଇମ ଡାଇରେକ୍ଟରଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ଏହି ବିଧେୟକ ଅନୁସାରେ ସରକାରୀ ବ୍ୟାଙ୍କମାନଙ୍କୁ ଅଡିଟରଙ୍କ ଫି ଧାର୍ଯ୍ୟ କରିବା ଓ ଟପ ଲେବୁଲ ଟାଲେଣ୍ଟ ହାୟର କରିବାର ଅଧିକାର ମିଳିବ।
ନୂଆ ନିୟମରେ ବ୍ୟାଙ୍କମାନଙ୍କୁ ଆରବିଆଇଙ୍କୁ ରିପୋର୍ଟ ପ୍ରଦାନ କରିବାର ସମୟସୀମା ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ବ୍ୟାଙ୍କମାନେ ଏବେ ୧୫ ଦିନ, ଏକମାସ ଓ ତ୍ରୈମାସିକ ଶେଷରେ ଆରବିଆଇଙ୍କୁ ରିପୋର୍ଟ ଦେଇପାରିବେ। ଉଲ୍ଲେଖଯୋଗ୍ୟ ଯେ ଏବେ ବ୍ୟାଙ୍କମାନଙ୍କୁ ପ୍ରତି ଶୁକ୍ରବାର ଆରବିଆଇଙ୍କୁ ରିପୋର୍ଟ ଦେବାକୁ ପଡୁଥିଲା।