ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ, ଜଳ-ସ୍ଥଳ-ଆକାଶରେ ନୌସେନାର ଚିତ୍ତାକର୍ଷକ ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | December 04, 2024 IST

News7

ପୁରୀ: ପୁରୀରେ ପାଳିତ ହୋଇଛି ନୌସେନା ଦିବସ। ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି। ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ରଣ କୌଶଳ ପ୍ରଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଉଦଘାଟନ ପରେ ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୩୭  ଏୟାରକ୍ରାଫ୍ଟ୍ ଓ ଗୋଟିଏ ବୁଡ଼ାଜାହାଜ ସହ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଏହି ସମୟରେ ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି। 

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ଆୟୋଜନ ହୋଇଥିବାରୁ ଲୋକଙ୍କ ଭିତରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ଏଥର ନୌସେନା  ଦିବସରେ ଥିମ ରହିଛି ‘ ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ’। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି ସମୟରେ ଜଳପଥରେ ନୌବୀର ରଣ କୌଶଳ ଦେଖାଇଛନ୍ତି। ଆକାଶପଥରେ ଲଢୁଆ ହେଲିକପ୍ଟର ଗର୍ଜନରେ ପ୍ରକମ୍ପିତ ହୋଇ ଉଠିଛି ପୁରୀ ବେଳାଭୂମି। ମେରାଇନ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନରେ ମନ୍ତ୍ରମୁଗ୍ଧ ହୋଇଛନ୍ତି ସମବେତ ଜନତା। ମୁଣ୍ଡଜାମିନ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଦୃଶ୍ୟର ଡେମୋ ପ୍ରଦର୍ଶିତ ହୋଇଛି। ରଣ କୌଶଳ ସମୟରେ କମାଣ୍ଡୋଙ୍କ ଦ୍ଵାରା ଆତଙ୍କୀ ମୁକାବିଲାର ବଳିଷ୍ଠ ପ୍ରଦର୍ଶନ ସଭିଙ୍କୁ ଅବିଭୂତ କରିଛି। 

ଏଥିସହ ଆକାଶର ମାର୍କୋସ ତ୍ରିରଙ୍ଗା ଉଡ଼ାଇ ନୌସେନା ଦିବସ କାର୍ଯ୍ୟକ୍ରମକୁ ଆହୁରି ରୋମାଞ୍ଚକର କରିଛନ୍ତି। ଏହି ସମୟରେ ହ୍ଵାଇଟ୍ ଟାଇଗର ନାଁରେ ପରିଚିତ ମିଗ୍-୨୯ କେର ପ୍ରଚଣ୍ଡ ଗର୍ଜନରେ ପ୍ରକମ୍ପିତ  ହୋଇଛି ଶ୍ରୀକ୍ଷେତ୍ର ଧାମ। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ଅରିହନ୍ତ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ନେଭି ଡେ' ଉତ୍ସବରେ ପରାକ୍ରମ ଦେଖାଇଛନ୍ତି। 

ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇଛନ୍ତି। ସୂର୍ଯ୍ୟାସ୍ତ ସହ ନୌସେନା ପକ୍ଷରୁ ସନସେଟ୍ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ଜାତୀୟ ପତାକା ଓ ନୌସେନା ପତାକା ଅର୍ଦ୍ଧନିମିତ କରାଯାଇଛି। ଶେଷରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଓ ରାଷ୍ଟ୍ରପତି ସମାରୋହକୁ ସମ୍ବୋଧିତ କରିଛନ୍ତି।

ସମାରୋହରେ ରାଷ୍ଟ୍ରପତିଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ  ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ, ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀ, ଗଜପତି ମହାରାଜ ଦିବ୍ୟସିଂହଦେବ  ଓ ନୌସେନା ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତିଙ୍କୁ ନୌସେନା ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.