ମଦ୍ୟପାନ କରି 'ମୋ ବସ୍‌' ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ, ସୁରକ୍ଷା ନିୟମ ଯାଞ୍ଚ ବେଳେ ଧରାପଡିଲେ

Published By : Prameya-News7 Bureau | November 08, 2024 IST

News7

ଭୁବନେଶ୍ୱର: ମୋ ବସ୍ ଚଳାଚଳ ସୁରକ୍ଷା ନିୟମଗୁଡିକର କଡ଼ାକଡ଼ି ଯାଞ୍ଚ ହୋଇଛି। ଗୁରୁତର ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ ରଖି, କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଡ୍ୟୁଟି ସମୟରେ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛି। କ୍ରୁଟ୍‌ର କାର୍ଯ୍ୟନିର୍ବାହୀ ଦଳ ଦ୍ୱାରା ହଠାତ୍ ମଦ୍ୟପାନ ଯାଞ୍ଚ ବେଳେ ଏହା ଚିହ୍ନଟ ହୋଇଥିଲା। ଏହି ଘଟଣାରେ ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟର ଡ୍ୟୁଟି ସମୟରେ ମଦ୍ୟପାନ କରିଥିବା ଜଣାପଡ଼ିଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ଏହି ମାମଲା ସହିତ ଅନ୍ୟ ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ଡ଼୍ୟୁଟି ସମୟରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରିଦିଆଯାଇଛି। ଏଭଳି ଆଚରଣ ଉଲ୍ଲଂଘନ ଦ୍ୱାରା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାବେଳେ କ୍ରୁଟ୍ ଅଧିକାରୀ ଏଭଳି ତୁରନ୍ତ ନିଷ୍ପତ୍ତି ନେଇଛନ୍ତି। 

ଏଭଳି ସ୍ଥିତିରେ ମୋ ବସ୍ ଯାତ୍ରୀଙ୍କ ସୁରକ୍ଷା, ବିଶ୍ୱାସଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯାଇଛି। କ୍ରୁଟ୍ ଅଧିକାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ଡ୍ରାଇଭର ଯଦି ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ଜଣାପଡ଼େ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। କେବଳ ମୋ ବସ୍ ନୁହେଁ ଚାକିରୀରୁ ବାହାରି ଅନ୍ୟ କୈାଣସି ସ୍ଥାନରେ ଗାଡ଼ି ଚାଳନା କରାଯିବାକୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ନାହିଁ। 

ଏହିପରି ଘଟଣା ପୁନରାବର୍ତ୍ତି ନହେବା ପାଇଁ ଏପରି କଠୋର ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। କ୍ରୁଟ୍ ଅଧିକାରୀ ମୋ ବସ୍ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ମୋ ବସ୍ କର୍ମଚାରୀଙ୍କ ନିୟମିତ ମଦ୍ୟପାନ ପରୀକ୍ଷଣ, ସ୍ୱତନ୍ତ୍ର ଡ୍ରାଇଭର ତାଲିମ ପ୍ରୋଗ୍ରାମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ତାଲିମ ସହିତ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ମନିଟରିଂ କରାଯିବାର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.