କନ୍ଧମାଳ ଆମ୍ବ ଟାକୁଆ ଟ୍ରାଜେଡି: ବିଜେଡି ଟାର୍ଗେଟ୍‌ରେ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 08, 2024 IST

ଭୁବନେଶ୍ବର: କନ୍ଧମାଳ ଆମ୍ବ ଟାକୁଆ ଟ୍ରାଜେଡିକୁ ନେଇ ଥମୁନି ରାଜନୀତି । ପୁଣି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,  ଆମ୍ବ ଟାକୁଆ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ  ବିବୃତ୍ତି ଦୁର୍ଭାଗ୍ୟ ଜନକ । ୨୦୨୨ରେ ମୁଁ ଖାଦ୍ୟ ଯୋଗାଣ  ମନ୍ତ୍ରୀ ଥିବା ସମୟରେ ଫୁଡ୍‌ ଇଣ୍ଡେକ୍ସ ର୍ୟାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା। ୦.୮୩୬ପଏଣ୍ଟ ପାଇଥିଲା ଓଡିଶା । 

ପୂର୍ବରୁ ଖାଦ୍ୟ ଯୋଗାଣରୁ ଆରମ୍ଭ କରି ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ସେ ସମୟରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମୋତେ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ । ଏପରିକି ଜାତିସଙ୍ଘ ବି ଭୋକର ଓଡ଼ିଶାରୁ ଖାଦ୍ୟ ପରିପୂର୍ଣ୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ । ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ । ହେଲେ ନ ପହଞ୍ଚିବାରୁ ଲୋକେ ଆମ୍ବ ଟାକୁଆ ଖାଇଲେ ।କିନ୍ତୁ ଏହି ଘଟଣାକୁ ନେଇ  ଶସ୍ତା ମନ୍ତବ୍ୟ ନଦିଅନ୍ତୁ ମନ୍ତ୍ରୀ । 


ସେପଟେ ବିଜେଡି ନେତାଙ୍କ ଏଭଳି ଅଭିଯୋଗକୁ ମିଛ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ମିଳିଛି । ଆମ୍ବ ଟାକୁଆ କେସରେ ଚାଉଳ ଅଭାବରୁ କେହି ମୃତ୍ୟୁ ବରଣ କରିନାହାନ୍ତି । ସେମାନଙ୍କର ଆମ୍ବ ଟାକୁଆ ଯାଉ ହେଉଛି ପାରମ୍ପରିକ ଖାଦ୍ୟ । ଏହି ଖାଦ୍ୟ ୩ରୁ ୪ଦିନ ରହିଯାଇଥିବାରୁ ତାହା ବିଷାକ୍ତ ହୋଇଯାଇଛି । ସେହି କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି । ସେମାନେ ପଖାଳ ସହ ଆମ୍ବଟାକୁଆ ଖାଇଥିଲେ । ଯଦି ଚାଉଳ ଅଭାବ ରହିଥାନ୍ତା ତାହେଲେ ସେମାନେ ପଖାଳ କେମିତି ଖାଇଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.