ମୁମ୍ବାଇ: ଘରୋଇ ଗ୍ରାଉଣ୍ଡରେ ଫସିଲା ମୁମ୍ବାଇ ଇଣ୍ଡିଆନ୍ସ । ଗୁଜରାଟ ଟାଇଟନ୍ସର ଘାତକ ବୋଲିଂରେ ଘାଇଲା ହୋଇଛି ଦଳ । ଓ୍ବାଙ୍ଖେଡର ସ୍ଲୋ-ଟ୍ରାକ୍ ଆତ୍ମସମର୍ପଣ କରିଛନ୍ତି ବ୍ୟାଟର । ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୫ ରନରେ ଅଟକାଇଛି ଗୁଜରାଟ ଟାଇଟନ୍ସ । ନିର୍ଦ୍ଧାରିତ ୨୦ ଓଭରରେ ଏମଆଇ ୮ ଓ୍ବିକେଟ୍ ହରାଇ ମାତ୍ର ୧୫୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ମୁମ୍ବାଇ ପକ୍ଷରୁ ଓ୍ବିଲ୍ ଜ୍ୟାକ୍ସ ସର୍ବାଧିକ ୫୩ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୩୫ କରିଥିବା ବେଳେ କର୍ବିନ୍ ବସ୍ ୨୭ ରନ୍ କରିଛନ୍ତି । ଗୁଜରାଟ୍ ଟାଇଟନ୍ସକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୫୬ ରନ୍ ସଂଗ୍ରହ କରିବାକୁ ପଡ଼ିବ ।
ଆଇପିଏଲରେ ମଙ୍ଗଳବାର ୫୬ତମ୍ ମ୍ୟାଚ୍ ଖେଳାଯାଉଛି । ଓ୍ବାଙ୍ଖେଡରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ଶୁବମନ ଗିଲଙ୍କ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ମୁମ୍ବାଇ । ଆଉ ପ୍ରଥମ ଓଭରରେ ରିକଲଟନଙ୍କ ନାଁରେ ପ୍ରାରମ୍ଭିକ ଝଟକା ଲାଗିଥିଲା । ମହମ୍ମହ ସିରାଜ୍ ତାଙ୍କୁ ୨ ରନ୍ରେ ଆଉଟ୍ କରିଥିଲେ । ଏହାପରେ ଚତୁର୍ଥ ଓଭରରେ ଅର୍ଶଦ ଖାନଙ୍କ ଶିକାର ହୋଇଥିଲେ ରୋହିତ୍ ଶର୍ମା । ସେ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ମୁମ୍ବାଇକୁ କିଛି ସମୟ ପାଇଁ ସମ୍ଭାଳି ନେଇଥିଲେ ଓ୍ବିଲ୍ ଜ୍ୟାକ୍ସ । ସେ ୩୫ଟି ବଲ୍ ଖେଳି ୫୩ ରନ୍ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୨୪ ବଲ୍ ଖେଳି ଦଳୀୟ ସ୍କୋରରେ ୩୫ ରନ୍ ଯୋଗ କରିଥିଲେ । ଏହାପରେ କ୍ୟାପଟେନ୍ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ନମନ ଧୀର ସେତେଟା କିଛି ଖାସ୍ କରିପାରିନଥିଲେ । ହେଲେ କର୍ବିନ୍ ବସ୍ ଶେଷରେ ୨୭ ରନ୍ କରି ଦଳୀୟ ସ୍କୋରକୁ ୧୫୫ରେ ପହଞ୍ଚାଇଥିଲେ । ଗୁଜରାଟ ପକ୍ଷରୁ ସାଇ କିଶୋର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ । ସେହିପରି ପ୍ରସିଦ କୃଷ୍ଣା, ଅର୍ଶଦ ଖାନ, ମହମ୍ମଦ ସିରାଜ, ରସିଦ ଖାନ ଏବଂ ଜେରାଲ୍ଡ କୋଏଟଜୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।