ମହାବିକାଶ ଅଘାଡ଼ିର ଘୋଷଣା- ମହାରାଷ୍ଟ୍ରରେ ଏକାଠି ଲଢିବେ ବିଧାନସଭା ନିର୍ବାଚନ

Published By : Prameya-News7 Bureau | June 15, 2024 IST

ମୁମ୍ବାଇ ୧୫।୬: ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାବିକାଶ ଅଘାଡ଼ି (ଏମଭିଏ) ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ଆଧାରରେ ଶନିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିବା ବେଳେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ, ଏନସିପି (ଶରଦ ପାୱାର) ମୁଖ୍ୟ ଓ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ଏନଡିଏ ମେଣ୍ଟ ଉପରେ ବର୍ଷିଛନ୍ତି। 

ଏହି ସାମ୍ବାଦିକ ସମ୍ମିଳନୀରେ ଏମଭିଏ ନେତାମାନେ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢିବେ ବୋଲି ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ମୋଦି ଯେଉଁଠି ଯେଉଁଠି ରୋଡ ସୋ ଓ ରାଲି କରିଛନ୍ତି ସେଠାରେ ଏମଭିଏ ମେଣ୍ଟର ବିଜୟ ହୋଇଛି। ସେ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ମୋଦି ମହାରାଷ୍ଟ୍ରାରେ ରୋଡ ସୋ ଓ ରାଲି କରିବେ। ଏହା ମେଣ୍ଟକୁ ସ୍ପଷ୍ଟ ବହୁମତ ଦେବାରେ ସହାୟକ ହେବ ବୋଲି ଶରଦ ପାୱାର କହିଛନ୍ତି। 


ଏଥିରେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବା ଠାକରେ କହିଛନ୍ତି ଯେ ବିଜେପି ବିରୋଧରେ କେହି ଲଢି ପାରିବେନାହିଁ, ହେଲେ ମହାରାଷ୍ଟ୍ର ଜନତା ସେମାନଙ୍କୁ ଆଇନା ଦେଖାଇଛନ୍ତି। ଏଣୁ ଆମେ ମହାରାଷ୍ଟ୍ରର ଜନତାଙ୍କ ନିକଟରେ କୃତଜ୍ଞ। ଏହି ଲଢେଇ ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚେଇବାର ଥିଲା। ଲୋକେ ମୋଦି ସରକାରକୁ ବଦଳାଇ ଏନଡିଏ ସରକାର କରିଦେଇଛନ୍ତି। ଏଣୁ ଆମେ ଏକାଠି ମିଶି ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛୁ ବୋଲି ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। 


ଏହି ଅବସରରେ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ କହିଛନ୍ତି ଯେ ଆମେ ସବୁ ଆଜି ମହାରାଷ୍ଟ୍ର ଜନତାଙ୍କୁ ଧନ୍ୟବାଦ ଦେବାକୁ ଓ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଏକା ସାଙ୍ଗରେ ଆସିଛୁ। ମହାରାଷ୍ଟ୍ର ଜନତା ଏମଭିଏ ପ୍ରାର୍ଥୀମାନଙ୍କୁ ବାଛିବାଛି ବିଜୟୀ କରିଛନ୍ତି। ଲୋକସଭା ନିର୍ବାଚନ ଫଳାଫଳ ପରେ ଶନିବାର ପ୍ରଥମ ଥର ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ନେତାମାନେ ଭେଟ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ଲୋକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବାକୁ ବୋଲି ଚୌହାନ କହିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଲୋକେ ଆମ ପ୍ରତି ଯେପରି ଶ୍ରଦ୍ଧା ପ୍ରଦର୍ଶନ କରିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଆମ ପ୍ରତି ଆସ୍ଥା ପ୍ରକଟ କରନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.