ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ, ତିରୁପତିଙ୍କ ପ୍ରସାଦ ଲଡୁରେ ଥିଲା ଚର୍ବି !

Published By : Prameya-News7 Bureau | September 19, 2024 IST

ହାଇଦ୍ରାବାଦ ୧୯/୦୯: ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି । କେବଳ ସେତିକି ନୁହେଁ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଖାଲି ଅଭିଯୋଗ ଆଣିନାହାଁନ୍ତି ତ ଆନ୍ଧ୍ରର ପୂର୍ବତନ ୱାଇଏସ୍‌ଆର ସରକାରଙ୍କ ଉପରେ ବର୍ଷିଛନ୍ତି ସେ । 

ସେ ଆହୁରି କହିଛନ୍ତି ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ଚନ୍ଦ୍ରବାବୁଙ୍କ କହିବା କଥା ରାଜ୍ୟରେ ଜଗନ ସରକାର ଥିବା ବେଳେ ମନ୍ଦିର ପ୍ରସାଦରେ ନିମ୍ନମାନର ସାମଗ୍ରୀ ସାଙ୍ଗକୁ ପଶୁ ଚର୍ବି ମିଶା ଯାଉଥିବା ଜଣାପଡିଥିଲା । ଏହା ମୋତେ ଚକିତ କରିବା ସହ ଖୁବ୍ ବ୍ୟତିବ୍ୟସ୍ତ କରି ପକାଇଥିଲା । ଏହି ମନ୍ଦିର ଉପରେ କୋଟି କୋଟି ଭକ୍ତ ଆସ୍ଥା ପ୍ରକଟ କରୁଥିବା ବେଳେ ଏପରି କରିବା ନିମନ୍ତେ ସେ ଲଜ୍ଜାବୋଧ କରିବା ଉଚିତ ଥିଲା । 

ଏନଡିଏ ଦଳ ବୈଠକରେ ଏପରି ଆରୋପ ଲଗାଇଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ତିରୁପତିର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ ଲଢ଼ୁ ପ୍ରସାଦ ରୂପେ ଲଗା ଯାଇଥାଏ । ଏହି ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ ଉପରେ ନ୍ୟସ୍ତ । ମୁଖ୍ୟମନ୍ତ୍ରୀ କହିଛନ୍ତି,ଏବେ କିନ୍ତୁ ତିରୁପତି ଲଡୁ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି। ଫଳରେ ଏହାର ମାନରେ ପରିବର୍ତ୍ତନ ହୋଇଛି। 

ସେପଟେ ଅଭିଯୋଗର କଡା ଜବାବ ରଖିଛନ୍ତି YSRCP । YSRCP ଏକ ଦୃଢ ଉତ୍ତର ଦେଇ କହିଛି ଯେ ଚନ୍ଦ୍ରବାବୁ ନାଇଡୁ ଦିବ୍ୟ ମନ୍ଦିର ତିରୁମାଲାର ପବିତ୍ରତା ତଥା କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇ ଏକ ବଡ଼ ପାପ କରିଛନ୍ତି । ତିରୁମାଲା ପ୍ରସାଦମ୍ ବିଷୟରେ ନାଇଡୁଙ୍କ ମନ୍ତବ୍ୟ ପ୍ରକୃତରେ ଶସ୍ତା ନୁହେଁ । ଏପରି ଶବ୍ଦ କହିବା କିମ୍ବା ଏପରି ଅଭିଯୋଗ କରିବା ଏହା ପୁଣି ଥରେ ପ୍ରମାଣିତ କରିଛି ଯେ ସେ ରାଜନୈତିକ ଲାଭ ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.