ଆନ୍ନାମଲାଇଙ୍କ ସ୍ଥାନ ନେବେ ଏନ୍.ନାଗେନ୍ଦ୍ରନ୍, ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ବିଜେପି ବିଧାୟକ

Published By : Prameya-News7 Bureau | April 11, 2025 IST

ନୂଆଦିଲ୍ଲୀ: ନୂଆ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢିବ ବିଜେପି । ଆନ୍ନାମଲାଇଙ୍କ ସ୍ଥାନରେ ତିରୁନେଲଭେଲିରୁ ବିଜେପି ବିଧାୟକ ଏନ୍ ନାଗେନ୍ଦ୍ରନଙ୍କୁ ଏହି ଦାୟିତ୍ୱ ମିଳିବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଏନେଇ କେବଳ ଔପଚାରିକ ଘୋଷଣା ହେବା ବାକି ରହିଛି । ଶୁକ୍ରବାର ପାର୍ଟି ପକ୍ଷରୁ ଏହି ପଦବୀ ପାଇଁ କେବଳ ଏନ୍ ନାଗେନ୍ଦ୍ରନ ନାମାଙ୍କନ ଦାଖଲ କରିଥିଲେ । ଆସନ୍ତାକାଲି ଏପ୍ରିଲ୍ ୧୨ରେ ନୂଆ ଅଧ୍ୟକ୍ଷଙ୍କ ନାଁ ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଘୋଷଣା କରାଯିବ । 

ତାମିଲନାଡ଼ୁ ବିଜେପିର ନୂଆ ଅଧ୍ୟକ୍ଷ ପଦ ପାଇଁ ନାଗେନ୍ଦ୍ରନଙ୍କ ନାଁ କେ.ଆନ୍ନମାନଲାଇ ପ୍ରସ୍ତାବିତ କରିଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏଲ୍.ମୁରୁଗନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାକ୍ରିଷ୍ଣନ ଓ ପାର୍ଟି ବିଧାୟକ ତଥା ବିଜେପି ମହିଳା ମୋର୍ଚ୍ଚ ସଭାପତି ଭାନଥି ଶ୍ରୀନିଭାସନ ଉପସ୍ଥିତ ରହିଥିଲେ ।

ନୟନାର ନାଗେନ୍ଦ୍ରନ ତାମିଲନାଡୁର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ତେରୁନେଲଭେଲିରୁ ବିଧାୟକ ଅଛନ୍ତି । ବର୍ତ୍ତମାନ ସେ ବିଜେପି ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ନାଗେନ୍ଦ୍ରନ ତାମିଲନାଡ଼ୁର ପୂର୍ବତନ ସରକାରରେ ମନ୍ତ୍ରୀ ରହିସାରିଛନ୍ତି । 

ନାଗେନ୍ଦ୍ରନଙ୍କ ନାମାଙ୍କନ ପୂର୍ବରୁ ତାମିଲନାଗଡ଼ୁ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହଙ୍କ କାର୍ଯ୍ୟକ୍ରମରେ ହଠାତ୍ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଥିଲା । ଆର୍‌ଏସ୍‌ଏସ୍ ନେତା ତଥା ଥୁଗଲକ୍ ମ୍ୟାଗାଜିନର ଏଡିଟର୍ ଏସ୍.ଗୁରୁମୂର୍ତ୍ତିଙ୍କ ସହ ଶାହଙ୍କ ସଂଧ୍ୟାରେ ସାକ୍ଷାତ କାର୍ଯ୍ୟକ୍ରମ ଥିଲା । କିନ୍ତୁ ଅନୁମାନଠାରୁ ବହୁ ପୂର୍ବରୁ ସାମ୍ୱାଦିକଙ୍କ ମଲାପୋର ବାସଭବନରେ ପହଞ୍ଚିଥିଲେ ଶାହ । ପ୍ରାୟ ଏକ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗନ୍ ଓ ବର୍ତ୍ତମାନ ବିଜେପି ରାଜ୍ୟ ଅଧ୍ୟକ୍ଷ କେ.ଅନ୍ନାମଲାଇ ଉପସ୍ଥିତ ରହିଥିଲେ । ଅମିତ୍ ଶାହଙ୍କ କାର୍ଯ୍ୟକ୍ରମରେ ହଠାତ୍ ପରିବର୍ତ୍ତନ ରାଜ୍ୟ ବିଜେପି ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏହାସହ ରାଜ୍ୟରେ ବଡ଼ ଧରଣର ସଂଗଠନାତ୍ମକ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.