ଅନ୍ତରୀକ୍ଷରୁ କେମିତି ଦେଖାଯାଉଛି ମହାକୁମ୍ଭର ଦୃଶ୍ୟ, NASA ଆଷ୍ଟ୍ରୋନଟ୍ ସେୟାର କଲେ ଫଟୋ

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ ୨୭।୧: ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାଗମ ମହାକୁମ୍ଭରେ ସ୍ନାନ ନିମନ୍ତେ ତ୍ରିବେଣୀ ସଙ୍ଗମକୁ ଶ୍ରଦ୍ଧାଳୁ ପହଞ୍ଚିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶ ସୂଚନା ବିଭାଗଙ୍କ ଅନୁସାରେ ୨୬ ଜାନୁୟାରୀ ୨୦୨୫ ସୁଦ୍ଧା ୧୩.୨୧କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ଏହି ସଂଖ୍ୟା ଲଗାତାର ବଢିବାକୁ ଲାଗିଛି। ଏଥି ମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାଙ୍କ ମହାକାଶଯାତ୍ରୀ ଡନ ପେଟିଟ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ମହାକୁମ୍ଭର ଫଟୋଚିତ୍ର ଏକ୍ସ ରେ ସେୟାର କରିଛନ୍ତି। 

ରାତିରେପେଟିଟଙ୍କ ଦ୍ୱାରା ମହାକୁମ୍ଭର ନିଆଯାଇଥିବା ଫଟୋଚିତ୍ରରେ ସଙ୍ଗମ ନଗରୀ ପ୍ରୟାଗରାଜ ଆଲୋକମୟ ଦେଖାଯାଉଛି। ଦିବ୍ୟ ଓ ଭବ୍ୟ ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ ତୀର୍ଥ ଯାତ୍ରୀଙ୍କ ଭୀଡ ଆହୁରି ବଢିଯିବ ବୋଲି ଆକଳନ କରାଯାଉଛି। ଏହାକୁ ନେଇ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ନାନାର୍ଥୀମାନଙ୍କ ଉପରେ ଜଳ,ସ୍ଥଳ ଓ ଆକାଶରୁ ନଜର ରଖାଯିବ। ସଙ୍ଗମ କୂଳକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି ଓ ବିନା ଅନୁମତିରେ ଡ୍ରୋନ ଉଡାଯାଇ ପାରିବନି। ଏହା ସତ୍ତ୍ୱେ ଯଦି କେହି ଡ୍ରୋନ ଉଡାଇବାକୁ ଉଦ୍ୟମ କରନ୍ତି ଆଣ୍ଟି ଡ୍ରୋନ ସିଷ୍ଟମ ଦ୍ୱାରା ଏହାକୁ ଖସାଇ ଦିଆଯିବ। 


ମୌନୀ ଅମାବାସ୍ୟାରେ ତୀର୍ଥ ଯାତ୍ରୀଙ୍କ ଭୀଡକୁ ଦେଖି ପୋଲିସ ସୁରକ୍ଷାର କଡ଼ା ବ୍ୟବସ୍ଥା କରିଛି। ସଙ୍ଗମ ନଗରୀକୁ ଦେଶବିଦେଶରୁ ଆସୁଥିବା ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ସହିତ ସେମାନଙ୍କ ସେବା ଓ ସହାୟତା ମଧ୍ୟ କରାଯିବ। ଏଥି ଲାଗି ସବୁ ସୁରକ୍ଷା କର୍ମୀଙ୍କୁ ବିଶେଷ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ମହାକୁମ୍ଭ ମେଳାର ନୋଡାଲ ତଥା ଜୋନ ଏଡିଜି ଭାନୁ ଭାଷ୍କର କହିଛନ୍ତି ଯେ ମେଳା ଲାଗି ସାତ ଥାକିଆ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ଏଆଇ ଟେକନିକ୍ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। 


ଭିଡ ନିୟନ୍ତ୍ରଣ ନିମନ୍ତେ ଟିଥର ଡ୍ରୋନର ବ୍ୟବହାର ମଧ୍ୟ ହେଉଛି। କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ପୁରା ଧ୍ୟାନ ରଖାଯାଉଛି। କୁମ୍ଭ ମେଳାର ସବୁ ପ୍ରବେଶ ମାର୍ଗରେ ସନ୍ଦିଗ୍ଧ ବ୍ୟକ୍ତି ଓ ବାହନ ଉପରେ  ଅଲଗା ଅଲଗା ଉପାୟରେ ନଜର ରଖାଯିବା ସହ  ଯାଞ୍ଚ ମଧ୍ୟ କରାଯାଉଛି। ଜୋନ ଅନ୍ତର୍ଗତ ସବୁ ପୋଲିସ ଥାନାକୁ ଏ ସମ୍ପର୍କରେ ବିଶେଷ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା ଭାନୁ ଭାଷ୍କର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.