ନା ସୁପ୍ରିମକୋର୍ଟଙ୍କ କଥା ମାନିଲେ, ନା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲେ, ଅଢେଇ ଘଣ୍ଟା ଅପେକ୍ଷା କଲେ ମମତା

Published By : Prameya-News7 Bureau | September 10, 2024 IST

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଆରଜି କର  ମେଡିକାଲ୍ କଲେଜ ମାମଲାରେ ଗତିରୋଧର ସମାଧାନ ପାଇଁ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ରାଜ୍ୟ ସଚିବାଳୟରେ ବୈଠକ ପାଇଁ ଆମନ୍ତ୍ରିତ କରିଛନ୍ତି। ତେବେ ପୀଡ଼ିତାଙ୍କ ନ୍ୟାୟ ଦାବିରେ ହଡ଼ତାଳ କରୁଥିବା ଡାକ୍ତର ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗରେ ହଡ଼ତାଳରେ ଥିବା ଡାକ୍ତର ସଂପ୍ରତି କାମକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଡ଼ତାଳରେ ଥିବା ଡାକ୍ତରମାନଙ୍କୁ କାମକୁ ଫେରିବାକୁ କହିଥିଲେ।

ହଡ଼ତାଳରେ ବସିଥିବା ଡାକ୍ତରମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ମନା କରି ଦେଇଛନ୍ତି। ରାଜ୍ୟର ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ  କହିଛନ୍ତି, ଆସନ୍ତାକାଲି ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତର ଏବଂ ଛାତ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କାମକୁ ଫେରିବାକୁ ଆଦେଶ ଦେଇଥିଲେ। ଆଜି ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଅପେକ୍ଷା କରିଥିଲେ। ୧୦ ଜଣ ଡାକ୍ତରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। 

ଆଜି ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଚିବାଳୟ କାର୍ଯ୍ୟାଳୟରେ ଡାକ୍ତରମାନଙ୍କ ଅପେକ୍ଷା କରିଥିଲେ। ମାତ୍ର ଆନ୍ଦୋଳନକାରୀ ଡାକ୍ତରଙ୍କ ପକ୍ଷରୁ ନା କୌଣସି ଉତ୍ତର ମିଳିଲା ନା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଲେ। ଏହିପରି ମମତା ଅଢେଇ ଘଣ୍ଟା ଅପେକ୍ଷା କରି ଫେରିଗଲେ। ଆନ୍ଦୋଳନରତ ଜୁନିୟର ଡାକ୍ତର ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କାମକୁ ଫେରିବା ଅଦାଲତଙ୍କ ନିର୍ଦ୍ଦେଶର ଅବଜ୍ଞା କରି କହିଛନ୍ତି, ନିଜ ଦାବି ପୂରା ହେବା ଏବଂ ଆରଜି କର ହସ୍ପିଟାଲ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ  ନ ମିଳିବା ପର୍ଯ୍ୟନ୍ତ ଡ୍ୟୁଟିରେ ଯୋଗଦାନ କରିବୁ ନାହିଁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.