ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୱାକଫ୍ ଆଇନ ବିରୋଧରେ ବୁଧବାର ଐତିହାସିକ ଶୁଣାଣି ହୋଇଛି । ୱାକଫ୍ ଆକ୍ଟ ବିରୋଧରେ ମୁସଲିମ୍ ସମୁଦାୟର ନେତା, ସଂଗଠନ ଓ ରାଜନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ଏହି ଆଇନକୁ ସମ୍ୱିଧାନର ମୌଳିକ ଅଧିକାରର ଉଲଂଘନ ବୋଲି କୁହାଯାଇଛି । ମୁସଲିମ୍ ପକ୍ଷର ଓକିଲ ନିଜ ତର୍କରେ ସମ୍ୱିଧାନର ମୌଳିକ ଅଧିକାରୀ, ଧାର୍ମିକ ସ୍ୱାଧୀନତା ଓ ସମାନତାର କଥା କହି ଏହି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।
ବୁଧବାର ଶୁଣାଣି ଆରମ୍ଭ ହେବା ପରେ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଦୁଇଟି ବିନ୍ଦୁ ଉପରେ ବିଚାର କରିବା ପାଇଁ କହିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ତାଙ୍କ ସାମନାରେ ୨ଟି ପ୍ରଶ୍ନ ଅଛି । ପ୍ରଥମ-କ'ଣ ଏହି ମାମଲାର ଶୁଣାଣି ହେବା ଦରକାର ନାଁ ଏହାକୁ ହାଇକୋର୍ଟକୁ ପଠାଯିବା ଦରକାର । ଦ୍ୱିତୀୟରେ-ଆଇନଜୀବୀମାନେ କେଉଁ ସବୁ ବିନ୍ଦୁ ଉପରେ ତର୍କ କରିବାକୁ ଚାହୁଁଛନ୍ତି ।
ଏହାପରେ ଆବେଦନକାରୀ କୋର୍ଟଙ୍କ ସାମନାରେ ଆଇନରେ ଥିବା ତ୍ରୁଟିକୁ ଦର୍ଶାଇବା ଆରମ୍ଭ କଲେ । ସରକାରୀ ପକ୍ଷ ଆଇନ ସପକ୍ଷରେ ଯୁକ୍ତି ରଖିଲେ । ସର୍ବୋଚ୍ଚ ନ୍ୟାୟାଳୟ ‘ୱାକଫ୍ ବାୟ ୟୁଜର’କୁ ନେଇ ସରକାରଙ୍କୁ କଠିନ ପ୍ରଶ୍ନ କଲେ । ଏହାପରେ କେନ୍ଦ୍ର ସରକାର ମାମଲା ଶୁଣାଣି ଆସନ୍ତାକାଲି କରିବା ପାଇଁ ଅନୁରୋଧ କଲେ । ସରକାରଙ୍କ କଥା ଶୁଣି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଅପରାହ୍ଣ ୨ଟାରେ କରିବା ପାଇଁ ସମୟ ଧାର୍ଯ୍ୟ କଲେ । ଶୁଣାଣି ବେଳେ ସିଜେଆଇ ଏହା ମଧ୍ୟ କହିଲେ ଯେ ଗୋଟିଏ କଥା ଅତ୍ୟନ୍ତ ଚିନ୍ତାଜନକ ରହିଛି, ତାହା ହେଉଛି-ହିଂସା । ଏହି ପ୍ରସଙ୍ଗ କୋର୍ଟଙ୍କ ନିକଟରେ ଅଛି ଓ ଆମେ ଏହା ଉପରେ ନିଷ୍ପତ୍ତି ନେବୁ । ଏହା ଉପରେ ସଲିସିଟର ଜେନେରାଲ୍ ତୁଷାର ମେହତା କହିଥିଲେ ଯେ ଚାପ ପକାଇବା ପାଇଁ ହିଂସା ନକରାଯିବା ଦରକାର ।
ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ 'ୱାକଫ୍ ବାୟ ୟୁଜର' ସମ୍ପତ୍ତିର ପ୍ରାବଧାନ ଉପରେ ପ୍ରଶ୍ନ ଉଠାଇଥିଲେ । ଶୀର୍ଷ ଅଦାଲତ କହିଥିଲେ ଯେ ଆଇନ ଅନୁଯାୟୀ ପୂର୍ବରୁ ସ୍ଥାପିତ 'ୱାକଫ୍ ବାୟ ୟୁଜର' ସମ୍ପତ୍ତିକୁ ଡିନୋଟିଫାଇ କରିବାରେ ଅସୁବିଧା ସୃଷ୍ଟି ହେବ । 'ୱାକଫ୍ ବାୟ ୟୁଜର' ଅର୍ଥ ହେଉଛି, ଏପରି ସମ୍ପତ୍ତି ଯାହା ଦୀର୍ଘ ସମୟରୁ ଧାର୍ମିକ କିମ୍ୱା ସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର ହେଉଛି । ଯଦିଓ ଏସବୁର କାଗଜପତ୍ର ପୂରା ନଥିବ ।
ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ୱାକଫ୍ ବାୟ୍ ୟୁଜର ପ୍ରାବଧାନ ହଟାଯିବା ଉପରେ କେନ୍ଦ୍ରର ସ୍ପଷ୍ଟୀକରଣ ମାଗିଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ବେଳେ କେନ୍ଦ୍ରକୁ ୱାକଫ୍ ଆଇନ ଉପରେ କଡ଼ା ପ୍ରଶ୍ନ କରିଥିଲେ । ସର୍ବୋଚ୍ଚ କୋର୍ଟ କହିଥିଲେ ଯେ ୧୪୦୦ରୁ ୧୬୦୦ ଶତାବ୍ଦୀ ମଧ୍ୟରେ ନିର୍ମାଣଧୀନ ଅଧିକାଂଶ ମସଜିଦ୍ ପାଖରେ ସେଲ୍ ଡିଡ୍ ନଥିବ । ସେଗୁଡ଼ିକୁ କିପରି ପଞ୍ଜିକୃତ କରାଯିବ ? କୋର୍ଟ କହିଛନ୍ତି ଯେ ଏପରି ମସଜିଦରୁ ରେଜିଷ୍ଟାର ଡିଡ୍ ମାଗିବା ସମ୍ଭବ ନୁହେଁ, କାରଣ ଏହା ସବୁ ୱାକଫ୍ ବାୟ ୟୁଜର ସମ୍ପତ୍ତି ଅଟେ । ଏହା ଉପରେ ତୁଷାର ମେହତା କହିଥିଲେ ଯେ ଏହି ସବୁକୁ ରେଜିଷ୍ଟାର କରାଇବାରେ ସେମାନଙ୍କୁ କିଏ ଅଟକାଇଥିଲା ? ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ଯଦି ସରକାରୀ କହିବେ ଏହି ଭୂମି ସରକାରୀ ତେବେ କଣ ହେବ ?
ୱାକଫ୍ ସଂଶୋଧିତ ଆଇନ ଉପରେ ଆଜି ପ୍ରାୟ ୨ ଘଣ୍ଟାର ଶୁଣାଣି ହୋଇଥିଲା । ଶୁଣାଣି ବେଳେ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଲୋକଙ୍କ ସବୁଠୁ ବଡ଼ ଦାବି ଥିଲା ଯେ ଅବିଳମ୍ୱରେ ଏହା ଉପରେ ରୋକ୍ ଲଗାଯାଉ । କିନ୍ତୁ ସୁପ୍ରିମକୋର୍ଟ ଏପରି କୌଣସି ଆଦେଶ ଦେଲେ ନାହିଁ । କିନ୍ତୁ କୋର୍ଟ ଏକ ଅନ୍ତରୀଣ ଆଦେଶ ଜାରି କରିବା ଉପରେ ଏକପ୍ରକାର ରାଜି ହୋଇଯାଇଥିଲେ । ଠିକ୍ ସେତିକି ବେଳେ ଏକ ରୋଚକ ଘଟଣାକ୍ରମ ଘଟିଲା । କୋର୍ଟଙ୍କ ଅନ୍ତରୀଣ ଆଦେଶ ଜାରି କରିବା ଇଚ୍ଛା ଉପରେ କେନ୍ଦ୍ର ସରକାର ପକ୍ଷରୁ ସଲିସିଟର୍ ଜେନେରାଲ୍ ତୁଷାର ମେହତା ଆପତ୍ତି ଉଠାଇଲେ । ପରେ କୋର୍ଟ ଆସନ୍ତାକାଲି ଶୁଣାଣି କରିବା ଉପରେ ରାଜି ହୋଇଥିଲେ ।