‘କାହାକୁ ନିଷ୍ପତ୍ତି ନେବାର ଅଧିକାର ନାହିଁ’, ରୋହିତ-ବିରାଟଙ୍କ ଅବସର ଉପରେ ମୁହଁ ଖୋଲିଲେ ଗମ୍ଭୀର

Published By : Prameya-News7 Bureau | May 23, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଶେଷରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ସନ୍ନ୍ୟାସ ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାର ସମ୍ମାନ କରିବା ଉଚିତ୍। ରୋହିତ-ବିରାଟଙ୍କ ଟେଷ୍ଟରୁ ସନ୍ନ୍ୟାସ ନେବା ଭାରତୀୟ ଦଳରେ ବଡ଼ ବ୍ୟବଧାନ ସୃଷ୍ଟି କରିବ। କିନ୍ତୁ ଯୁବ ଖେଳାଳିଙ୍କ ନିକଟରେ ନିଜକୁ ପ୍ରମାଣିତ କରିବାର ଏହା ସୁବର୍ଣ୍ଣ ସୁଯୋଗ ବୋଲି ଗୌତମ ଗମ୍ଭୀର କହିଛନ୍ତି।

ସିଏନଏନ-ନ୍ୟୁଜ ୧୮ ସହ ଆଲୋଚନା ବେଳେ ଗମ୍ଭୀର କହିଛନ୍ତି, ମୋ ମତରେ ଆପଣ ଯେବେ ଖେଳ ଅରମ୍ଭ କରନ୍ତି ଏବଂ ଏହାର ଶେଷ କରନ୍ତି ତେବେ ତାହା ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ। କୋଚ୍ ହୁଅନ୍ତୁ କି ଚୟନକର୍ତ୍ତା ଦେଶର ଯିଏ ବି ହେଉ କେହି ଖେଳାଳିଙ୍କୁ କେବେ ସନ୍ନ୍ୟାସ ନେବାର କହିବାର ଅଧିକାର ନାହିଁ। ସନ୍ନ୍ୟାସ ନେବାର ସ୍ଵର ଖେଳାଳିଙ୍କ ମନରୁ ଆସିଥାଏ। 

Also read: ଇଂଲଣ୍ଡ ଟୁର୍‌ରୁ କଟିଲା ଶାମୀଙ୍କ ପତା ! କେବଳ ୩ ଟେଷ୍ଟ ଖେଳିବାକୁ ରାଜି ବୁମ୍‌ରାହ

ସୂଚନାଯୋଗ୍ୟ, ରୋହିତ ଶର୍ମା ଓ  ବିରାଟ କୋହଲି ଚଳିତ ମାସ ଆରମ୍ଭରେ ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି। ଗମ୍ଭୀର ସ୍ଵୀକାର କରିଛନ୍ତି ଯେ, ଦଳରେ ଦୁଇ ଖେଳାଳିଙ୍କ ଅଭିଜ୍ଞତାର ଅଭାବ ଅନୁଭୂତ ହେବ। କିନ୍ତୁ ସେ ଜୋର ଦେଇ କହିଛନ୍ତି ଯେ, ଯୁବ ଖେଳାଳିଙ୍କ ନିକଟରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି। ତେଣୁ ଯାହାକୁ ବି ସୁଯୋଗ ମିଳିବ ତାଙ୍କୁ ଏହାର ଭରପୁର ଫାଇଦା ଉଠାଇବା ଉଚିତ୍।

ଗମ୍ଭୀର ଭାରତରର ଚାମ୍ପିଅନ୍ସ ଟ୍ରଫି ଜିତିବାର ଉଦାହରଣ ଦେଇଛନ୍ତି। ଏଥିରେ ବୁମରା ଭାରତୀୟ ଦଳରେ ନ ଥିଲେ। ତଥାପି ଦଳ ଟ୍ରଫି ଜିତି ପାରିଛି। ବିନା ବରିଷ୍ଠ ଖେଳାଳିରେ ବି ଦଳକୁ ସଫଳ କରାଯାଇ ପାରିବ ବୋଲି ହେଡ୍ କୋଚ୍ କହିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା ହୋଇପାରେ। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର ଗଣମାଧ୍ୟମକୁ ସମ୍ବୋଧିତ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.