ଆହୁରି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ ! ପୁଟିନ୍‌ଙ୍କୁ ୧୦ ହଜାର ସେନା ଦେଲା ଉତ୍ତର କୋରିଆ

Published By : Prameya-News7 Bureau | November 01, 2024 IST

TH

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆମେରିକାର ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁକ୍ରେନ ସହ ଯୁଦ୍ଧ ପାଇଁ ୧୦ ହଜାର ସେନାକୁ ଋଷ ପଠାଇଛି ଉତ୍ତର କୋରିଆ। ବର୍ତ୍ତମାନ ୟୁକ୍ରେନ ସୀମା ନିକଟ ଋଷର କୁର୍ସ୍କ ଅଞ୍ଚଳରେ ଉପସ୍ଥିତ ଅଛନ୍ତି। ଏହି ସୈନିକମାନେ ୟୁକ୍ରେନ ସହିତ ଯୁଦ୍ଧରେ ଋଷକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ସମୟରେ, ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଲଢ଼େଇରେ ଋଷକୁ ୧ ହଜାରରୁ ଅଧିକ ମିଶାଇଲ ଦେଇଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ କିମ ୟୋଙ୍ଗ-ହ୍ୟୁନ କହିଛନ୍ତି ଯେ ଉତ୍ତର କୋରିଆ ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ସୈନ୍ୟ ବ୍ୟତୀତ ଋଷକୁ ୧ ହଜାରରୁ ଅଧିକ କ୍ଷେପଣାସ୍ତ୍ର ପଠାଇଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ଋଷରେ ୧୦ ହଜାର ଉତ୍ତର କୋରିଆ ସୈନିକ ଉପସ୍ଥିତ ଅଛନ୍ତି। ସେଥିମଧ୍ୟରୁ  ୮ ହଜାରରୁ ଅଧିକ ସୈନିକ ଋଷର କୁର୍ସ୍କ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଆଗାମୀ ଦିନରେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷ ଏହି ସୈନିକମାନଙ୍କୁ ବ୍ୟବହାର କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଋଷ ଉତ୍ତର କୋରିଆ ସୈନିକମାନଙ୍କୁ ଆର୍ଟିଲିରି, ଡ୍ରୋନ୍ ଏବଂ ପଦାତିକ କାର୍ଯ୍ୟରେ ବ୍ୟବହାର କରୁଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏହି ସୈନିକମାନଙ୍କୁ ଫ୍ରଣ୍ଟ ଲାଇନ ଅପରେସନରେ ବ୍ୟବହାର କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଋଷ ନିଜ ଦେଶକୁ ବିଦେଶୀ ସୈନିକମାନଙ୍କୁ ଆମନ୍ତ୍ରଣ କରିଛି।

ମିଳିତ ଜାତିସଂଘରେ ଆମେରିକାର ଡେପୁଟି ଆମ୍ବାସାଡର ଉତ୍ତର କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, "ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ (ଉତ୍ତର କୋରିଆ)ର ସେନା ଋଷ ସମର୍ଥନରେ ୟୁକ୍ରେନରେ ପ୍ରବେଶ କରିବା ଉଚିତ କି? ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ କେବଳ ସେମାନଙ୍କ ମୃତଦେହ ନିଜ ଦେଶକୁ ଫେରାଇ ଦିଆଯିବ। ତେଣୁ ମୁଁ କିମଙ୍କୁ ପରାମର୍ଶ ଦେବି ଯେ ସେ ଏହିପରି ବେପରୁଆ ଏବଂ ବିପଜ୍ଜନକ ପ୍ରସଙ୍ଗରେ ଜଡିତ ହେବା ପୂର୍ବରୁ ଦୁଇଥର ଚିନ୍ତା କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.