ଲଗାଣ ବର୍ଷାରେ ଭାସୁଛି ବାଲେଶ୍ଵର, ୬ଟି ବ୍ଲକରେ ବନ୍ୟା ପରିସ୍ଥିତି ସଙ୍ଗୀନ

Published By : Prameya-News7 Bureau | September 18, 2024 IST

ବାଲେଶ୍ଵର:  ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।  ସୁବର୍ଣ୍ଣରେଖା ନଦୀ ଗତକାଲିଠାରୁ ବିପଦ ସଙ୍କେତ ଉପର ପ୍ରବାହିତ ହେଉଥିବା ବେଳେ ବୁଢାବଳଙ୍ଗ ଓ ଜଳକା ନଦୀ ମଧ୍ୟ ଫୁଲିଛି। ବନ୍ୟା ପାଣି ଗାଁରେ ପଶିଛି। ଏବେସୁଦ୍ଧା ୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟାପ୍ରଭାବିତ ରିଲିଫ କ୍ୟାମ୍ପ କିମ୍ବା ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେପଟେ ଉତ୍ତର ଓଡ଼ିଶାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଆକାଶ ମାର୍ଗରୁ ଉତ୍ତର ଓଡ଼ିଶାର ବନ୍ୟାର ଚିତ୍ର। ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ଆସିଛି ବନ୍ୟା। ଗାଁରେ ଆଣ୍ଠୁଏ କିମ୍ବା ଆଣ୍ଟାଏ ଉଚ୍ଚା ପାଣି। ଜଳମଗ୍ନ ହୋଇଯାଇଛି ସାରା ଇଲାକା। ଗାଁ ଭିତରେ ଡଙ୍ଗା ଚାଲୁଛି। କିଛି ସ୍ଥାନରେ ଘର ବୁଡ଼ି ଉବୁଟୁବୁ ଅବସ୍ଥା। ୬ଟି ବ୍ଲକ ପ୍ରଭାବିତ ହୋଇଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି। 

୩୦ରୁ ଅଧିକ ଗାଁ ପାଣି  ଘେରରେ।ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳ ବାସୀ । ଜଳେଶ୍ଵର ରାଜଘାଟ ଠାରେ  ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି। ବାଲିଆପାଳ ବ୍ଳକର   ଅସ୍ତି, ଜାମକୁଣ୍ଡ, ମଧୁପୁରା, ବାଲିଆପାଳ.ବିଷ୍ଣୁପୁର ଆଦି  ୧୦ ଟି ପଞ୍ଚାୟତର ୩୦ରୁ ଅଧିକ ଗାଁରେ ବନ୍ୟା ପାଣି ପଶିଛି। ଜଳେଶ୍ବର ବ୍ଲକର ମାକିଡିଆ, ଖୁଦିଆମାଝିସାହି, ଦଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ଆର,ଆର,ପୁର,  ଵସ୍ତା ଵ୍ଲକର କାଦରାୟାଁ,ରଘୁନାଥପୁର,ମଧୁପୁରା, ଚୋରମାରା ଆଦି ପଞ୍ଚାୟତ ପାଣି ଘେରରେ ରହିଛି।  ହଜାର ହଜାର   ଚାଷ ଜମିରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି।

ଗତକାଲି ରାତିରୁ ସୁବର୍ଣ୍ଣରେଖା ନଦୀର ପାଣି ବଢିବା ପରେ ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆଉକିଛି ଲୋକ ନିଜ ଡଙ୍ଗା ସାହାଯ୍ୟରେ ଆସି ବନ୍ଧରେ ଆଶ୍ରୟ ନେଇଛନ୍ତି। ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଫାୟାର ଟିମ୍ , ୩ଟି ଓଡ୍ରାଫ୍ ଏବଂ ଗୋଟିଏ NDRF ଟିମ୍ ନିୟୋଜିତ ଅଛନ୍ତି। ପ୍ରଶାସନର ଟିମ୍ ମଧ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ଉପରେ ଜୋର ଦିଆଯାଉଛି। 

ପୂର୍ଣ୍ଣିମା ସମୟ ହୋଇଥିବାରୁ ସମୁଦ୍ର ଜୁଆରିଆ ରହୁଛି। ତେଣୁ ନଦୀରୁ ପାଣି ଖସୁନି। ଯେଉଁଥିପାଇଁ ଲୋକେ ଆଶଙ୍କାରେ ରହିଛନ୍ତି ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଦେଖିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ବାହାର କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ସେପଟେ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ  ଉପର ମୁଣ୍ଡରେ ବିଶେଷ ବର୍ଷା ହେବ ନାହିଁ। ଧିରେ ଧିରେ ବନ୍ୟା ସ୍ଥିତିରେ ଉନ୍ନତି ଆସିବ। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷାର ମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଯେହେତୁ ପାଣି ଖଲାସ ହେବାରେ ବିଳମ୍ବ ହେଉଛି ଆଜି ରାତିର ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ବନ୍ୟା ବିପନ୍ନ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.