ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ଅଞ୍ଚଳରେ ଜୋର ଧରିଛି ନୂତନ ପଞ୍ଚାୟତ ଗଠନ ଦାବି। ଏଥିପାଇଁ ମିଞ୍ଜାପଙ୍କା ଅଞ୍ଚଳର ୧୪ ଗ୍ରାମ ହରଗୁଡ଼ା, ପାଙ୍ଗୁଡ଼ା, ବରଗୁଡ଼ା, ସାଲବା, କୁଡୁପାଗାଡ଼ି, ରାମ୍ବେଲି, କୁଟ୍ରୁକା, ରାଲ୍ଡିପଙ୍କା, ଝାଲବଇଡ଼ା, ବୁଡ଼ାରିପି, ଘରବଇଡ଼ା, ବଡ଼ମହା ଓ ମିଞ୍ଜାପଙ୍କା ଗ୍ରାମର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ବୈଠକ କରିଥିଲେ।
ସୂଚନା ଅନୁଯାୟୀ, ପଞ୍ଚାୟତ ମହକୁମା କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଏହି ସବୁ ଗ୍ରାମ ଗୁଡ଼ିକ ୨୦ରୁ ୩୦ କିମି ଦୂରରେ ରହଛି । ସେହିପରି ସବୁ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୭୦ କିମି ଦୂରରେ ଅବସ୍ଥିତ । ଫଳରେ ସରକାରଙ୍କ ଜନ ହିତକର ଯୋଜନା ସବୁ ପହଞ୍ଚିପାରୁନଥିବା ଅଭିଯୋଗ ହୋଇଛି। ତେଣୁ ନୂତନ ପଞ୍ଚାୟତ ଗଠନ ଦାବି ନେଇ ଅଞ୍ଚଳବାସୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଜିଲ୍ଲାପାଳ କନ୍ଧମାଳ, ଉପଜିଲ୍ଲାପାଳ ବାଲିଗୁଡ଼ା ଓ ବିଡିଓ ଦାରିଙ୍ଗବାଡ଼ି ପ୍ରୀତିରଞ୍ଜନ ରଥଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ନୂତନ ପଞ୍ଚାୟତ ଗଠନ କମିଟିର ସଭାପତି ନରେନ୍ଦ୍ର ବେହେରା, ସଂପାଦକ ଶରତ ମଲିକ, ଉପ ସଭାପତି କାମଦେବ ମଲିକ, ସୁକାନ୍ତ ମଲିକ ଓ ଜ୍ୟୋତି ସଭାସୁନ୍ଦର ପ୍ରମୁଖ।
ଜଣାପଡ଼ିଛି ଯେ, ୨୦୧୪ରେ ହୋଇଥିବା ଉପ ନିର୍ବାଚନ ସମୟରେ ମିଞ୍ଜାପଙ୍କା ଅଞ୍ଚଳବାସୀ ପୂର୍ବ ସରକାରଙ୍କ ମନ୍ତ୍ରୀମାନଙ୍କୁ ନୂତନ ପଞ୍ଚାୟତ ଗଠନ ନେଇ ଲିଖିତ ଭାବେନୂତନ ପଞ୍ଚାୟତ ଗଠନ ନେଇ ଜଣାଇଆସିଥିଲେ। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଏବେ ପୁଣି ଅଞ୍ଚଳବାସୀ ନୂତନ ପଞ୍ଚାୟତ ଗଠନ ନେଇ ଅଣ୍ଟା ଭିଡ଼ିଛନ୍ତି। ୧୪ ଗୋଟି ଗ୍ରାମବାସୀଙ୍କ କହିବା କଥା ଯେ, ଯଦି ମିଞ୍ଜାପଙ୍କାଙ୍କୁ ନୂତନ ପଞ୍ଚାୟତ ମାନ୍ୟତା ଦିଆନଯାଏ, ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବାକୁ ପଛାଇବେ ନାହିଁ ବୋଲି ଦୃଢ ଦାବି କରିଛନ୍ତି।