ସେପ୍ଟେମ୍ବର ୧୮ରେ ଲଞ୍ଚ ହେବ NPS- ବାତ୍ସଲ୍ୟ ଯୋଜନା, ପିଲାଙ୍କ ଭବିଷ୍ୟତ ପାଇଁ ରହିବନି ଅଭିଭାବକଙ୍କ ଚିନ୍ତା

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୮ ସେପ୍ଟେମ୍ବର ବୁଧବାର ରାଜଧାନୀ ଦିଲ୍ଲୀରେ ଏନପିଏସ୍-ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଯୋଜନାର ସଦସ୍ୟତା ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ ପ୍ରାରମ୍ଭ କରାଯିବ ଓ ଏହା ସହିତ ଯୋଜନା ବିବରଣିକା ମଧ୍ୟ ଜାରି କରାଯିବ। ଏହି ଅବସରରେ ନାବାଳକ ଗ୍ରାହକଙ୍କୁ ସ୍ଥାୟୀ ସେବା ନିବୃତ୍ତି ଖାତା ସଂଖ୍ୟା (ପିଆରଏଏନ) କାର୍ଡ ବିତରଣ କରାଯିବ। 

ଏହି କାର୍ଯ୍ୟକ୍ରମରେ ପେନସନ ଫଣ୍ଡ ନିୟାକମ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଅଧ୍ୟକ୍ଷ ଦୀପକ ମହାନ୍ତି, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ଆର୍ଥିକ ସେବା ବିଭାଗ ସଚିବ ଏନ.ମଡ୍ଡିରାଲା ମଧ୍ୟ ଉପସ୍ଥିତ ରହିବେ। ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଦେଶର ୭୫ଟି ସ୍ଥାନରେ ଏକ ସଙ୍ଗରେ ଆୟୋଜିତ ହେବ। ଭିଡିଓ କନଫରେନସିଂ ମାଧ୍ୟମରେ ଅର୍ଥମନ୍ତ୍ରୀ ଅନ୍ୟସ୍ଥାନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହେବେ। 

ଏନପିଏସ୍ ବାତ୍ସଲ୍ୟ ମାତାପିତାଙ୍କ ପେନସନ ଆକାଉଣ୍ଟରେ ନିବେଶ କରି ପିଲାଙ୍କ ଭବିଷ୍ୟତ ନିମନ୍ତେ ସଞ୍ଚୟ କରିବା ସହିତ ଆର୍ଥିକ ସୁନିଶ୍ଚିତ କରିବାର ଅନୁମତି ଦେବ। ଏନପିଏସ୍ ବାତ୍ସଲ୍ୟ ନମନିୟ ଯୋଗଦାନ ଓ ନିବେଶର ବିକଳ୍ପ ପ୍ରଦାନ କରୁଛି। ଏଥିରେ ମାତା ପିତା ପିଲାଙ୍କ ନାମରେ ବାର୍ଷିକ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିପାରିବେ।  ଏଣୁ ଏହି ଯୋଜନା ସବୁ ଆର୍ଥିକ ପୃଷ୍ଟଭୂମିର ପରିବାର ନିମନ୍ତେ ସୁଲଭ ବୋଲି କୁହାଯାଉଛି। ଏହି ଯୋଜନା ବିଷୟରେ ଅର୍ଥମନ୍ତ୍ରୀ ଜୁଲାଇରେ ବଜେଟ୍ ଅଭିଭାଷଣରେ ଦେଇଥିଲେ। 

ସେ କହିଥିଲେ ଯେ ଏନପିଏସ୍ ବାତ୍ସଲ୍ୟ ଯୋଜନା, ଯେଉଁଥିରେ ମାତା ପିତା ବା ଅଭିଭାବକ ନାବାଳକଙ୍କ ନିମନ୍ତେ ଯୋଗଦାନ କରି ପେନସନ ଆକଉଣ୍ଟ ଜଲଦି ଆରମ୍ଭ କରିପାରିବେ। ସେମାନେ ସାବଳକ ହେବା ପରେ ଯୋଜନା ନିୟମିତ ଏନପିଏସ୍ ଆକାଉଣ୍ଟରେ ପରିବର୍ତ୍ତିତ ହୋଇଯିବ। ତେବେ ଏହି ଯୋଜନାକୁ ଖାସ କରି ଯୁବବର୍ଗଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଏବେକା ଏନପିଏସର ଏକ ପ୍ରକାର। 

ଏହି ଯୋଜନାରେ ମାତାପିତା ବା ଅଭିଭାବକ ପିଲାଙ୍କ ନାମରେ ପେନସନ ଆକାଉଣ୍ଟ ଖୋଲିପାରିବେ। ସେମାନେ ମାସିକ ମାତ୍ର ୫୦୦ ଟଙ୍କା ବା ବାର୍ଷିକ ୬ ହଜାର ଟଙ୍କାରେ ଯୋଜନା ଆରମ୍ଭ କରିପାରିବେ। ଅର୍ଥାତ ପିଲା ୧୮ ବର୍ଷର ହେବା ପର୍ଯ୍ୟନ୍ତ ପ୍ରତି ମାସରେ ବା ବର୍ଷକୁ ଏକ ନିଶ୍ଚିତ ରାଶି ଯୋଗଦାନ କରିବେ। ଏହି ଯୋଜନାରେ ନିଜ ପିଲାଙ୍କ ଲାଗି କ୍ୟାରିୟର ଓ ପେନସନ ଯୋଜନା କରିବା ସମ୍ଭବ ହୋଇପାରିବ। 

ରାଷ୍ଟ୍ରୀୟ ପେନସନ ଯୋଜନାରେ ଖାତା ଖୋଲିବା ପାଇଁ ଏ ପର୍ଯ୍ୟନ୍ତ ୧୮ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଛି। ତେବେ ଏନପିଏସ୍ ବାତ୍ସଲ୍ୟ ଯୋଜନାରେ ୧୮ ବର୍ଷରୁ କମ ଆୟୁର ପିଲାଙ୍କ ଖାତା ମଧ୍ୟ ଖୋଲା ଯାଇ ପାରିବ। ଏହି ଯୋଜନାରେ ଗୋଟିଏ ପିଲା ପାଇଁ ମାତ୍ର ଗୋଟିଏ ଖାତା ଖୋଲାଯାଇ ପାରିବ। ପିଲାଙ୍କୁ ୧୯ ବର୍ଷ ନ ହେବା ପର୍ଯ୍ୟନ୍ତ ମାତାପିତା ଓ ଅଭିଭାବକ ଖାତା ସଞ୍ଚାଳନ କରିବେ। ପିଲାକୁ ୧୮ ବର୍ଷ ହୋଇଗଲେ ବାତ୍ସଲ୍ୟ ଖାତା ତା ପାଖକୁ ଟ୍ରାନ୍ସଫର ହୋଇଯିବ। ଏହା ପରେ ପିଲା ନିଜେ ସେହି ଖାତାକୁ ସଞ୍ଚାଳନ କରିପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.