ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ- ଦୋଷୀକୁ ମିଳିବ ଦଣ୍ଡ

Published By : Prameya-News7 Bureau | September 20, 2024 IST

News7

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏମ୍ସରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଝିଅକୁ ଏମ୍ସରେ ଭେଟିଛି। ତାଙ୍କର ସବୁ କଥା ଶୁଣିଲି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଡିଜିପି ୫ ଜଣଙ୍କୁ ସସପେଣ୍ଡ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୁଁ ଏଠାକୁ ଆସିଥିଲି। ସରକାର ଶୂନ୍ୟ ସହନଶୀଳତା କହିଛନ୍ତି। ଯାହାବି ରିପୋର୍ଟ ଆସିବ ଖୁବ ଶୀଘ୍ର ଆସିବ। 

ଜିରୋ ଟଲେରାନ୍ସରେ କେହି ବାଧକ ହୋଇପାରିବେ ନାହିଁ। ଯିଏ ଦୋଷୀ ସେ ଦଣ୍ଡିତ ହେବ। ଝିଅର ଅବସ୍ଥା ବହୁତ ଭଲ ଅଛି। ମାନସିକ ସ୍ତରରେ ସେ ଦୁଃଖିତ ଅଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟିଛନ୍ତି ଡିସିପି ପ୍ରତୀକ ସିଂହ। ତଦନ୍ତ ଅଗ୍ରଗତି ସମ୍ପର୍କ ନେଇ ସେ ଡିସିପିଙ୍କ ଠାରୁ ପଚାରି ବୁଝିଛନ୍ତି। 

କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଘଟଣାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ତଦନ୍ତ ରିପୋର୍ଟ ଆସିବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ମହିଳା ହିଂସା ବିରୁଦ୍ଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.