ତିରୁପତି ତିରୁମାଲା ପ୍ରସାଦକୁ ନେଇ ହଇଚଇ, TDP-YSR ମୁହାଁମୁହିଁ

Published By : Prameya-News7 Bureau | September 20, 2024 IST

ଆନ୍ଧ୍ରପ୍ରଦେଶ ୨୦/୦୯: ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ । ତିରୁମାଲା ପ୍ରସାଦକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ । ରାଜନୈତିକ ମହଲରେ ତୀବ୍ର ପ୍ରତିବାଦ । ଟିଡିପିର ଅଭିଯୋଗ ପରେ ତାତିଲେ ଲୋକେ । ଆରୋପ-ପ୍ରତ୍ୟାରୋପ ବି ଜୋରଦାର । ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ମୁହାଁମୁହିଁ । ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା । 

ସେପଟେ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍‌ଆର କଂଗ୍ରେସ । ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ କହିଛନ୍ତି ଦୁର୍ଭାଗ୍ୟଜନକ । ତାଙ୍କ କହିବା କଥା ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଉଠାଉଛନ୍ତି ଅଙ୍ଗୁଳି । ରାଜନୈତିକ ଲାଭ ପାଇଁ କୌଣସି ବି ସ୍ତରକୁ ଖସିପାରନ୍ତି ବୋଲି ଉଠିଛି ପାଲଟା ଅଭିଯୋଗ । 

NDDB CALF ଲ୍ୟାବ୍‌ ରିପୋର୍ଟରେ ଚର୍ବି ଥିବା ଉଲ୍ଲେଖ । ପ୍ରସାଦ ଲଡ଼ୁରେ ତାଳ ତେଲ, ମାଛ ତେଲ,ଗୋ ମାଂସରୁ ବାହାରୁଥିବା ଚର୍ବି ସହ ଥିଲା ଘୁଷୁରି ଚର୍ବିର ମିଶ୍ରଣ । ଶାସକ ତେଲଗୁ ଦେଶମ ପାର୍ଟି ଲ୍ୟାବ୍‌ର ରିପୋର୍ଟକୁ ନିଜ ସୋସିଆଲ  ମିଡିଆରେ କରିଥିଲେ ସେୟାର । ଚନ୍ଦ୍ରବାବୁ ନାଇଡୁଙ୍କୁ କହିବା କଥା ଅନିୟମିତତାରେ ଲିପ୍ତ କୌଣସି ବି ଜଣେ ବ୍ୟକ୍ତିଙ୍କୁ ଛଡ଼ାଯିବନି। 

ଦରକାର ପଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଲ୍ୟାବ ରିପୋର୍ଟ ମିଳିଛି ସେଥିରେ ପ୍ରସାଦର ଗୁଣବତ୍ତାକୁ ଘୋଟାଲା କରାଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ପ୍ରସାଦରେ ଅପବିତ୍ର ବସ୍ତୁ ମିଶିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ମାତ୍ର ଏବେଠୁ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ । ଏହି ଘଟଣାର ମୂଳ ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ବି ତର୍ଜମା କରାଯିବ ।


ଏତେ ସବୁ ଅଭିଯୋଗ ପରେ ମୁହଁ ଖୋଲିଛି YSR କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦାବି ଯୁକ୍ତିହୀନ କପଳକଳ୍ପୋତି ବୋଲି YSR ନେତା କରିଛନ୍ତି ସ୍ପଷ୍ଟ । ଅଭିଯୋଗକୁ ଖଣ୍ଡନ କରିବା ସହ TDP ରାଜନୈତିକ ଫାଇଦା ପାଇଁ ମିଛ କହୁଛି ବୋଲି ପକ୍ଷ ରଖିଛି ଦଳ। ଟିଟିଡି ଅଧ୍ୟକ୍ଷଙ୍କ କହିବା କଥା ପ୍ରଭୁଙ୍କୁ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବି ବ୍ୟବହାର କଳ୍ପନା ଯୋଗ୍ୟ ନୁହେଁ। ପଶୁ ଚର୍ବି ବ୍ୟବହାର କରିବା ଏକ ଘୃଣ୍ୟ ପ୍ରୟାସ ବୋଲି ସେ କରିଛନ୍ତି ଦାବି । ସେ ଆହୁରି କହିଛନ୍ତି ନାଇଡୁଙ୍କ ଅଭିଯୋଗ ଭୁଲ ପ୍ରମାଣିତ ହେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଦରକାର ପଡିଲେ ସୁପ୍ରିମକୋର୍ଟ ବି ଯିବୁ । କିନ୍ତୁ ହାର ମାନିବୁନି ।  

ପ୍ରସାଦରେ ପଶୁ ଚର୍ବି ଜାଣିବା ପରେ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ । ଲୋକେ କାହାକୁ ବିଶ୍ୱାସ କରିବେ ନ କରିବେ ସେ ନେଇ ଚିନ୍ତାରେ । ଭକ୍ତଙ୍କ କହିବା କଥା ପ୍ରକୃତ ସତ୍ୟ ସାମ୍ନାକୁ ଆସୁ । କୋଉଟା ସତ କୋଉଟା ମିଛ ତାହା ଦେଶବାସୀ ଜାଣିବା ଦରକାର ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.