ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆଶିଂକ ଭାବେ ବନ୍ଦ; ଶନିବାରଠୁ ମିଳିବ ଜରୁରୀକାଳୀନ ସେବା

Published By : Prameya-News7 Bureau | September 20, 2024 IST

କୋଲକତା: କୋଲକାତା ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ବିରାମ ଲାଗିଛି । ପୀଡିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କୁ ସୁରକ୍ଷା ଦାବିରେ ଦୀର୍ଘ ୪୧ ଦିନ ଧରି ଆନ୍ଦୋଳନ ଜାରି ରହିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଅର୍ଥାତ୍ ଶନିବାରଠୁ ସେମାନେ କେବଳ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ । ମାତ୍ର ଓପିଡି ସେବାରେ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ସରଳ ଭାବେ ବୁଝିବାକୁ ଗଲେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆଂଶକ ଭାବେ ବନ୍ଦ ରହିଛି ।   

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗଷ୍ଟ ୯ ତାରିଖରେ ସେମିନାର ହଲରୁ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଏହି ଘଟଣାରେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କୁ ଡାକ୍ତର ସନ୍ଦୀପ୍ ଘୋଷଙ୍କୁ ସିବିଆଇ ଗିରଫ କରିଛି । ଏହାଛଡ଼ା ଏହି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କୁ ସୁରକ୍ଷା ଦାବି ଜୁନିୟର ଡାକ୍ତର ସଂଘ ଅଗଷ୍ଟ ୯ ତାରିଖରୁ ଧାରଣାରେ ବସିଛନ୍ତି । ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ସହିତ ବାରମ୍ବାର ଆଲୋଚନା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ପରେ ସୁପ୍ରିମକୋର୍ଟ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । 

ସମସ୍ତ ଜୁନିୟର ଡାକ୍ତରମାନେ ସେପ୍ଟେମ୍ବର ୨୧ ତାରିଖରେ କାର୍ଯ୍ୟରେ ଯୋଗ ଦେବେ । ଆସନ୍ତାକାଲିଠୁ ଜରୁରୀକାଳୀନ ସେବା ଡାକ୍ତରମାନେ ଯୋଗାଇ ଦେବେ, ମାତ୍ର ଓପିଡିରେ ସେବାରେ ସାମିଲ ହେବେ ନାହିଁ ବୋଲି  ସଂଘ ପକ୍ଷରୁ କୁହାଯାଇଛି ।  ଡାକ୍ତର ଅକୀବ୍ କହିଛନ୍ତି, ଆଶିଂକ ଭାବେ ଆନ୍ଦୋଳନ ବନ୍ଦ ରହିଛି ।  ଦାବି ପୂରଣ ନହେଲେ ପୁଣି ଥରେ ନୂଆ ତରିକାରେ ପ୍ରଦର୍ଶନ ଚାଲିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.