ହରିଆଣା ନିର୍ବାଚନ ପୂର୍ବରୁ ବ୍ଲକିଂ ଚେକିଂ ଜୋରଦାର, ଗୋଟିଏ ଦିନରେ ୨କୋଟି ୮୪ ଲକ୍ଷ କ୍ୟାସ ଜବତ

Published By : Prameya-News7 Bureau | September 20, 2024 IST

ହରିଆଣା୨୦/୯: ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଲିସର ରେଡ୍‌ । ପୁଳା ପୁଳା ଟଙ୍କା ଜବତ । ହରିଆଣା ଫରିଦାବାଦ ସ୍ଥିତ ଦିଲ୍ଲୀ ଫରିଦାବାଦ ବର୍ଡରରୁ ଆସିଛି ଏମିତି ଚିତ୍ର । ଆସନ୍ତା ୫ରେ ହରିଆଣାରେ ନିର୍ବାଚନ । ତା ପୂର୍ବରୁ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇସାରିଥିବାବେଳେ ବିଭିନ୍ନ ସ୍ଥାନରେ ଛାପା ମାରୁଛି ପୋଲିସ ।

ଗୁରୁବାର ୩ଟି ସ୍ଥାନରେ ରେଡ୍‌ କରି ୨କୋଟି ୮୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି । ବିଭିନ୍ନ ସ୍ଥାନରୁ ଅବାଧରେ ଯାଉଥିବା ଟଙ୍କା,ନିଶା ଦ୍ରବ୍ୟ କାରବାର ସାମ୍ନାକୁ ଆସିବା ପରେ କଡା ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ ଚାଲୁ ରଖିଥିବାବେଳେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।

ଫରିଦାବାଦ ପୋଲିସର କହିବା କଥା ଦିଲ୍ଲୀ-ଫରିଦାବାଦ ବର୍ଡରରେ ଥିବା ସରାୟ ଖ୍ବାଜା ଥାନା,ସୁରଜକୁଣ୍ଡ ଥାନା ଅଞ୍ଚଳରେ ପୋଲିସ ସହ ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀ ସାମିଲ ହୋଇ ଚଡାଉ କରିଥିଲେ । ଚେକିଂ ବେଳେ ଏକ ଗାଡିରୁ ୨କୋଟି ୫୧ ଲକ୍ଷ ୬୫ ହଜାର କ୍ୟାସ ଜବତ ହୋଇଥିଲା ।

ଅନ୍ୟ ଏକ ଗାଡିରୁ ୨୦ ଲକ୍ଷ ଜବତ ହୋଇଥିଲା । ପରେ ସୁରଜକୁଣ୍ଡ ରାସ୍ତାସ୍ଥିତ ଏକ ଗାଡିରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏସଂପର୍କରେ ଡ୍ରାଇଭର କୌଣସି ସଠିକ ଉତ୍ତର ରଖିପାରିନଥିଲେ । ପୋଲିସ କ୍ୟାସ ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.