ଆର୍ଥିକ କ୍ଷତିର ସମ୍ମୁଖୀନ ହେଇଛନ୍ତି କଙ୍ଗନା, ଫିଲ୍ମ ଏମର୍ଜେନ୍ସି’ ପାଇଁ ବିକିଲେ ଘର

Published By : Prameya-News7 Bureau | September 20, 2024 IST

ମୁମ୍ଵାଇ ୨୦।୦୯: ବିବାଦୀୟ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍‌ ଅଟକିବା ଯୋଗୁ ଆର୍ଥିକ  କ୍ଷତିର ସମ୍ମୁଖୀନ ହୋଇଛନ୍ତି କଙ୍ଗନା ରଣାୱତ । ଏହି  କାରଣରୁ ନିକଟରେ ତାଙ୍କୁ ନିଜର ମୁମ୍ବାଇ ସ୍ଥିତ ବଙ୍ଗଳା  ବିକ୍ରି କରିବାକୁ ପଡ଼ିଛି । ଏକ ସାକ୍ଷାତକାରରେ କଙ୍ଗନା  ଏ ବିଷୟରେ ଖୋଲି କହିଛନ୍ତି । ସେ କହିଛନ୍ତି ‘ମୋ  ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବାରୁ ସେଥିରେ  ନିଜର ଜମାପୁଞ୍ଜି ଲଗାଇ ଦେଇଥିଲି । ଏବେ  ଫିଲ୍ମ ରିଲିଜ୍‌ ହୋଇପାରୁନି । କ’ଣ କରିଥାନ୍ତି ।   ସମ୍ପତ୍ତି ଏଭଳି ସମୟରେ କାମରେ ଆସେ ।   ତେଣୁ ବଙ୍ଗଳା ବିକ୍ରି କରିବାକୁ ନିଷ୍ପତ୍ତି   ନେଲି ।’ 

କଙ୍ଗନା ଯେଉଁ ମୁମ୍ବାଇ ସ୍ଥିତ ବଙ୍ଗଳା ବିକ୍ରି   କରିଛନ୍ତି, ତାକୁ ସେ ନିଜ ପ୍ରଡକ୍ସନ୍‌  ହାଉସ୍‌ ମଣିକର୍ଣ୍ଣିକା ଫିଲ୍ମସର ଅଫିସ୍‌  ରୂପେ ବ୍ୟବହାର କରୁଥିଲେ ।  ସେ ବଙ୍ଗଳାକୁ ୩୨ କୋଟିରେ  କୋଇମ୍ବାଟୁରର ଶ୍ୱେତା ବଥିଜାଙ୍କୁ  ବିକ୍ରି କରିଛନ୍ତି । ଏଥିରୁ ତାଙ୍କର ୧୨  କୋଟି ଟଙ୍କା ଲାଭ ହୋଇଛି । ମୁମ୍ବାଇର  ପାଲି ହିଲ ସ୍ଥିତ ପୋଶରେ ଥିବା ଏହି  ବଙ୍ଗଳାକୁ କଙ୍ଗନା ୨୦୧୭ ମସିହାରେ ୨୦  କୋଟିରେ କିଣିଥିଲେ । ୨୦୨୦ ମସିହାରେ  ବିଏମ୍‌ସି ଏହି ବଙ୍ଗଳାକୁ ଅନଧିକୃତ ନିର୍ମାଣ ଆଧାରରେ ଭଙ୍ଗାରୁଜା କରିଥିଲା । ସେପଟେ, ଫିଲ୍ମ ‘ଏମର୍ଜେନ୍ସି’ରେ କିଛି ପରିବର୍ତ୍ତନ   ଓ ସିନ୍‌ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଛି ।  ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ ଫିଲ୍ମକୁ  ୟୁ/ଏ ପ୍ରମାଣପତ୍ର ଦେଇଛି । ଫିଲ୍ମର ଅନେକ ସିନ୍‌  ଉପରେ ସିବିଏଫ୍‌ସି ଆପତ୍ତି ଉଠାଇଥିଲା । ଫିଲ୍ମକୁ ନେଇ  ବମ୍ବେ ହାଇକୋର୍ଟରେ ଗତ ଗୁରୁବାର ଶୁଣାଣି ହୋଇଥିଲା।  

କଙ୍ଗନା ଅଭିଯୋଗ କରିଥିଲେ ଯେ ସିବିଏଫ୍‌ସି ଫିଲ୍ମକୁ   ପୂର୍ବରୁ ପ୍ରମାଣପତ୍ର ଦେଇଥିଲା । କିନ୍ତୁ ସେପ୍ଟେମ୍ବର ୬  ତାରିଖରେ ହେବାକୁ ଥିବା ରିଲିଜ୍‌ର ୪ ଦିନ ପୂର୍ବରୁ ଏହା  ଉପରେ ରୋକ ଲଗାଇଲା । ଏ ମାମଲାର ଶୁଣାଣିରେ ଜଷ୍ଟିସ୍‌  ବି.ପି. କୋଲାବାୱାଲା ଓ ଫିରଦୋଶ ପୁନୀୱାଲାଙ୍କ ଖଣ୍ଡପୀଠ  କହିଛନ୍ତି, ଭବିଷ୍ୟତରେ ଆଇନ ବ୍ୟବସ୍ଥାରେ ସମସ୍ୟାର  କେବଳ ଆଶଙ୍କା କରି ଅଭିବ୍ୟକ୍ତିର ସ୍ୱାଧୀନତାକୁ ରୋକାଯାଇ  ପାରିବ ନାହିଁ । ସିବିଏଫ୍‌ସିକୁ କୌଣସି ପ୍ରକାର ପ୍ରମାଣପତ୍ର  ମାମଲାରେ ନିଷ୍ପତ୍ତି ନେବାକୁ ହିଁ ପଡ଼ିବ । ଆସନ୍ତା ୨୫ ତାରିଖ  ସୁଦ୍ଧା ଏ ମାମଲାର ନିଷ୍କର୍ଷରେ ପହଞ୍ଚିବାକୁ ଖଣ୍ଡପୀଠ ସେନ୍ସର   ବୋର୍ଡକୁ ଆଦେଶ ଦେଇଛନ୍ତି । ଏ ମାମଲାରେ ଆସନ୍ତା ୨୫  ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.