ଭୁବନେଶ୍ୱର: କିଟ୍ ଘଟଣାକୁ ନେଇ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ବିଶ୍ୱବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ପୋଲିସ ବି ତଦନ୍ତ ଜାରି ରଖିଛି। କିଟ୍ କର୍ତ୍ତୃପକ୍ଷ ହୁଅନ୍ତୁ କି କେହି ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଥିବେ, ତଦନ୍ତ ପ୍ରକ୍ରିୟାରେ ଯାହାର ନାଁ ଆସିବ, କାହାକୁ ବି ଛଡାଯିବ ନାହିଁ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସମସ୍ତଙ୍କୁ ଆଇନ ପରିସରଭୁକ୍ତ କରାଯାଇ, ଉଚିତ୍ ଦଣ୍ଡ ବିଧାନ କରାଯିବ। ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନେପାଳ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଆଶ୍ଵାସନା ଦେଇଛନ୍ତି, ଯେ ଆଗାମୀ ଦିନରେ ଏଭଳି କୌଣସି ଘଟଣା ହେବ ନାହିଁ । ଏଥିପାଇଁ ସରକାର ମଧ୍ୟ ସଜାଗ ରହିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ମଧ୍ୟ ସରକାର ନେବେ ।
ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନହେଉ ଏ ବାବଦରେ ସରକାର ସଜାଗ ରହିବେ । କିଟରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାହାକୁ ବି ଛଡାଯିବ ନାହିଁ । ଆଇନ ତା ରାସ୍ତାରେ ଯିବ। ଦଣ୍ଡ ବିଧାନ ପ୍ରକ୍ରିୟା ଜାରି ରହିବ।
ଆତ୍ମହତ୍ୟା ଓ ତା ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର ଓ ଧମକ ଦେଲେ । ସେ ଦିଗ ଉପରେ ବି ତର୍ଜମା କରାଯାଉଛି । ଯେତେ ବଡ ଲୋକ ହୋଇଥିଲେ ବି ଆକ୍ସନ ହେବ । ଏସିଏସଙ୍କ ନେତୃତ୍ୱରେ ହୋଇଥିବା ଟିମ୍ ପରାମର୍ଶ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
କିଟ୍ ପ୍ରସଙ୍ଗରେ ବୈଷୟିକ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାର ନିନ୍ଦନୀୟ। ତାଙ୍କ ମନମାନୀ ଆଦୌ ଗ୍ରହଣୀୟ ନୁହେଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ପିଲାମାନେ ଶୀଘ୍ର ଫେରିଆସନ୍ତୁ। କ୍ୟାମ୍ପସ ଭିତରେ କେମିତି ଶାନ୍ତି ଶୃଙ୍ଖଳା ଫେରି ଆସିବ ସେ ଦିଗରେ ଚେଷ୍ଟା କରାଯାଉଥିବା କହିଛନ୍ତି ମନ୍ତ୍ରୀ ସଂପଦ ସ୍ବାଇଁ ।
ସେ ଆହୁରି ମଧ୍ୟ କହିଛନ୍ତି ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଟ୍ କ୍ୟାମ୍ପସ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ଓ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ପିଟ୍ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ କିଟ୍ ମୁଖ୍ୟ ଅତ୍ୟୁତ ସାମନ୍ତ ଘଟଣାକୁ ନେଇ ଏଯାଏ ମୁହଁ ଖୋଲିନାହାନ୍ତି ।