ଭୁବନେଶ୍ବର: ବିଧାନସଭାରେ ବଜେଟ୍ ଆଲୋଚନାରେ ବକ୍ତବ୍ୟ ରଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଜେପି ସରକାରଙ୍କ ବଜେଟ୍ ବସ୍ତାନୀ ଭାରି କିନ୍ତୁ ପାଠ ଘର ଶୂନ। ଡବଲ୍ ଇଞ୍ଜିନ୍ ସରକାର, ଓଡ଼ିଶାକୁ ଯାହା ଆଗକୁ ନେବାର ଥିଲା, ତାହା ଏବେ ଓଲଟା ଦିଗରେ ଗତି କଲା ଭଳି ମନେ ହେଉଛି।
ପୂର୍ବରୁ ପରିବର୍ତ୍ତନ ପାଇଁ ଜଣା ଯାଉଥିବା ଓଡ଼ିଶା ଏବେ କେବଳ ନାମ ଏବଂ ରଙ୍ଗ ପରିବର୍ତ୍ତନ ପାଇଁ ଜଣାଶୁଣା । ବିଜେଡି ସରକାର ସମୟରେ, ଓଡ଼ିଶା ସବୁବେଳେ ଏକ ବିକାଶଶୀଳ ରାଜ୍ୟ ଭାବରେ ଜଣାଯାଉଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରୁଥିଲା । ଏହା ଅନେକ କେନ୍ଦ୍ରୀୟ ପ୍ରତିଷ୍ଠାନ ଦ୍ବାରା ଉଲ୍ଲେଖ କରାଯାଇଛି । ନ୍ତୁ ଡବଲ ଇଞ୍ଜିନ ସରକାର ଏହି ବର୍ଷ ଅଭିବୃଦ୍ଧି ହାରକୁ ୧୦ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଛି । ପ୍ରକୃତରେ ବଜେଟ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି।
ନବୀନ ଆହୁରି କହିଛନ୍ତି ମୁଦ୍ରାସ୍ଫୀତିକୁ ହିସାବ କଲେ, ଚଳିତ ବଜେଟ ଗତ ବଜେଟ ତୁଳନାରେ ୨.୭୭ ଲକ୍ଷ କୋଟିରୁ ୨.୯୦ ଲକ୍ଷ କୋଟି ବୃଦ୍ଧି ପାଇଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ । ଡବଲ ଇଞ୍ଜିନ ସରକାର ଅଧୀନରେ, ଓଡ଼ିଶାର ଖୋଲା ବଜାର ଋଣ ଭାର ୪୬ ହଜାର କୋଟିରୁ ଅଧିକ ବୃଦ୍ଧି ପାଇଛି । ପ୍ରତି ବର୍ଷ ମୁଣ୍ଡପିଛା ଋଣ ବୋଝ ବଢ଼ିବାରେ ଲାଗିଛି । ଡବଲ ଇଞ୍ଜିନ୍ ସରକାର ଡବଲ ଲାଭ ଆଣିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଥିଲା । କିନ୍ତୁ ଏହା ଡବଲ ଦୁଃଖରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସେପଟେ, ନବୀନ ପଟ୍ଟନାୟକ କରିଥିବା ଆକ୍ଷେପର ଜବାବ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପାଠ ଘର ଶୂନ ହେତୁ ଲୋକମାନେ ଆପଣଙ୍କୁ ବିରୋଧୀ ଦଳରେ ବସାଇଲେ। ଉଚିତ୍ ଜବାବ୍ ଦେଇଛନ୍ତି ଓଡ଼ିଶାବାସୀ । ମୋହନ ମାଝୀ କହିଛନ୍ତି ‘‘କିଛି ମାନ୍ୟବର ସଦସ୍ୟ, ସଦସ୍ୟା ରାଜ୍ୟର ଋଣ ଭାର ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କୁ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଋଣ ଭାରର ପୋଷଣୀୟତା ମାପିବା ପାଇଁ ଦୁଇଟି ପରିମାପକ ବ୍ୟବସ୍ଥା କରାଯାଇଛି। ଗୋଟିଏ ହେଲା ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୨୫ ପ୍ରତିଶତ ମଧ୍ୟର ସୀମିତ ରହିବା ଆବଶ୍ୟକ ଏବଂ ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ।’’
ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ଋଣ ସମ୍ବନ୍ଧରେ ରାଜ୍ୟର ସ୍ଥିତି ଏବଂ ମିଡିୟମ ଟର୍ମରେ କିଭଳି ସ୍ଥିତିରେ ରହିବ, ସେ ବାବଦକୁ ସମସ୍ତଙ୍କ ଅବଗତି ନିମନ୍ତେ ଆମେ ‘ଷ୍ଟାଟସ୍ ପେପର ଅନ୍ ପବ୍ଲିକ୍ ଡେବ୍ଟ’ ନାମକ ଏକ ପୁସ୍ତିକା ଏହି ଗୃହରେ ବଜେଟ୍ ସହ ଉପସ୍ଥାପନ କରିଛୁ । ତେଣୁ ଏହି ଗୃହ ରାଜ୍ୟର ଋଣ ହାରର ପୋଷଣୀୟତା ବାବଦକୁ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ନାହିଁ ।