ମାଲକାନଗିରି ୨୨।୦୨ : ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ନାରାୟଣପୁର ଜିଲ୍ଲା ତୋୟମେଟା ଏବଂ କଓ୍ୱାନାର ମଧ୍ୟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଡିଆର୍ଜି ଯବାନ ଆହତ ହୋଇଥିଲେ । ତୁରନ୍ତ ସାଥୀମାନେ ଆହତ ଯବାନଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପ୍ରଥମେ ଆହତ ଯବାନଙ୍କୁ ନାରାୟଣପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପୂର୍ବରୁ ଏହି ଲ୍ୟାଣ୍ଡମାଇନ୍ ଲଗାଇଥିଲେ ବୋଲି ସୂଚନା ରହିଛି ।
ସେପଟେ ଏହି ବିସ୍ଫୋରଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜଙ୍ଗଲରେ କେତେ ପରିମାଣରେ ମାଓବାଦୀ ଲୁଚି ରହିଛନ୍ତି । ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛନ୍ତି ଯବାନ ।