ମାଲକାନଗିରି ୨୪/୨: ମାଓବାଦୀଙ୍କ ନୂଆ ଅସ୍ତ୍ର । ଘାତକ ସାଜୁଛି ବୋତଲ ବୋମା । ଏହାକୁ ମାଟି ତଳେ ଖଞ୍ଜି ବିସ୍ଫୋରଣ ପାଇଁ ପ୍ଲାନ କରିଥିଲେ ମାଓବାଦୀ । ରାସ୍ତାରେ ବିଛାଇଥିଲେ ବିୟର ବୋତଲ ବୋମା । ହେଲେ ସିଆରପିଏଫ୍ ଯବାନଙ୍କ ଉପସ୍ଥିତି ବୁଦ୍ଧି ଲାଲବାହିନୀର ସବୁ ଯୋଜନା ପଣ୍ଡ କରିଦେଇଛି ।
ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଠାବ ହୋଇଛି ବିୟର ବୋତଲ ବୋମା । ଗାଙ୍ଗାଲୁର ଥାନା ପିଡିଆ ସିଆରପିଏଫ୍ କ୍ୟାମ୍ପର କୋବ୍ରା ବାଟାଲିଅନର ଯବାନମାନେ କେରିପୁ ଅଞ୍ଚଳକୁ ଅପରେସନ ପାଇଁ ଯାଇଥିବାବେଳେ ଟାର୍ଗେଟ କରିଥିଲେ ମାଓବାଦୀ । ଜଙ୍ଗଲ ରାସ୍ତାରେ ବିଛାଇ ଦେଇଥିଲେ ବିୟର ବୋତଲ ବୋମା । ଯାହାକୁ ଜାଣିପାରିଥିଲେ ସୁରକ୍ଷାକର୍ମୀ । ତୁରନ୍ତ ବୋମା ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି । ବିୟର ବୋତଲ ବୋମାର ତୀବ୍ରତା ଢେର ଅଧିକ । ଯବାନଙ୍କ ନିକଟରେ ବିସ୍ଫୋରଣ ହୋଇଥିଲେ ବହୁତ ବଡ କ୍ଷତି ହୋଇଥାନ୍ତା । ତା ପୂର୍ବରୁ ବୋମା ନିଷ୍କ୍ରିୟ କରି ସବୁ ବିପଦକୁ ଟାଳି ଦେଇଛନ୍ତି ସୁରକ୍ଷାକର୍ମୀ ।
ସାଧାରଣ କାଚ ପରି ଦେଖାଯାଉଥିବା ଏ ବୋତଲ ଗୁଡିକ ଯବାନଙ୍କୁ ଟାର୍ଗେଟ ପାଇଁ ବ୍ୟବହାର କରୁଛନ୍ତି ଲାଲ୍ବାହିନୀ । ବୋତଲ ଭିତରେ ଆଇଡି ଭର୍ତ୍ତି କରି ମାଟି ତଳେ ଖଞ୍ଜି ଦିଅନ୍ତି ମାଓବାଦୀ । ଯେତେ ଅଧିକ ବୋତଲ ସେତେ ଅଧିକ ଶକ୍ତିଶାଳୀ ହୋଇଥାଏ ।
ଅନେକ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । କେତେବେଳେ ମାଓବାଦୀ ପ୍ରାଣ ହରାଉଛନ୍ତି ତ ଆଉ କେତେବେଳେ ଯବାନଙ୍କ ମଧ୍ୟ ଜୀବନ ଯିବାର ନଜିର ରହିଛି । ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନେକ ଥର ଆହ୍ବାନ କରିଛନ୍ତି ପୋଲିସ-ପ୍ରଶାସନ । ହେଲେ ମାଓବାଦୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନି । ସେମାନେ ସବୁବେଳେ ଲୁଚିଛପି ଯବାନଙ୍କୁ ଟାର୍ଗେଟ କରୁଛନ୍ତି ।