ଉଦଳା ୧୪/୪: ଉଦଳା ଶାଳଖୁଣ୍ଟା ଆଶ୍ରମ ସ୍କୁଲ ହଷ୍ଟେଲରୁ ଛାତ୍ରୀଙ୍କ ଅସ୍ବାଭାବାବିକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ନ୍ୟାୟ ଦାବିରେ ଅଡି ବସିଛନ୍ତି ପରିବାର ଲୋକ । ପୋଷ୍ଟମର୍ଟମ ପରେ ମଧ୍ୟ ମୃତଦେହ ନେଉନାହାନ୍ତି । କ୍ଷତିପୂରଣ ସହ ସ୍କୁଲର ପ୍ରଧାନଶିକ୍ଷକ ଅନ୍ୟ କର୍ମଚାରୀଙ୍କ ବଦଳି ଦାବିରେ ହୋଇଛି । ସେପଟେ ପରିବାର ଲୋକଙ୍କୁ ବୁଝାଇ ବୁଝାଇ ନାକେଦମ ପ୍ରଶାସନ ।
ରବିବାର ରାତିରେ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ହେବା ସହ ପରିବାର ଲୋକଙ୍କୁ ୨ ଲକ୍ଷର କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଥିଲା ପ୍ରଶାସନ । ତେବେ ସ୍କୁଲର ସିସିଟିଭି ଫୁଟେଜ ଦେଖିବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଝିଅର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ଏବେ ସେମାନେ ମୃତଦେହ ନେବାକୁ ରାଜି ହେଉନାହାନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ,ମାଟ୍ରୋନ ଓ ପିଅନଙ୍କୁ ଗିରଫ, କ୍ଷତିପୂରଣ ସହ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରିଛନ୍ତି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ରବିବାର ମଧ୍ୟାହ୍ନ ସମୟରେ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । । ହଷ୍ଟେଲର ଅନ୍ୟ ପିଲାମାନେ ବାହାରକୁ ପରିସ୍ରା କରିବାକୁ ବାହାରି ଥିବାବେଳେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ହଷ୍ଟେଲ ମାଟ୍ରୋନ ଓ ଅନ୍ୟମାନଙ୍କୁ ଜଣାଇଥିଲେ । ତୁରନ୍ତ ମୃତଦେହକୁ ଉଦ୍ଧାର କରାଯାଇ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମାତ୍ର ୩ ଫୁଟ୍ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପରେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ନାବାଳିକା ଜଣକ ହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାକୁ ନେଇ ଆରମ୍ଭ ହୋଇଯାଇଥିଲା ଆଲୋଚନା । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା । ତଦନ୍ତ ପରେ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ ।