ମାଲକାନଗିରି ୧/୩: ଆଉ ଆପଣାଇବୁନି ହିଂସା ରାସ୍ତା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଲୋକଙ୍କ ପରି ଜୀବନ ଯାପନ କରିବୁ । ସମାଜକୁ ଏହି ବାର୍ତ୍ତା ଦେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୭ ହାର୍ଡକୋର ମାଓବାଦୀ । ସୁକୁମା ଏସ୍ପି କିରଣ ଚୌହାନ ଓ ସିଆରପିଏଫ୍ କମାଣ୍ଡଙ୍କ ସମ୍ମୁଖରେ ୭ ମାଓବାଦୀ ସରେଣ୍ଡର କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମାଓ ଦଂପତ୍ତି ରାୱା ମୁକେ ଓ ଭିମେ ।
ସମସ୍ତ ମାଓବାଦୀଙ୍କ ମୁଣ୍ଡରେ ଛତିଶଗଡ ସରକାର ପୂର୍ବରୁ ୩୨ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ । ଏବେ ଆତ୍ମସମର୍ପଣ କରିବା ପରେ ସମସ୍ତଙ୍କୁ ସୁକୁମା ଏସ୍ପି ୨୫ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି ।
ଏମାନଙ୍କ ନାଁରେ ପୂର୍ବରୁ ଥିବା ସବୁ ମାମଲା ପ୍ରତ୍ୟାହାର କରିନେବା ସହ ସରକାରଙ୍କ ନିୟମ ଅନୁସାରେ ଥଇଥାନର ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ସୁକୁମା ଏସ୍ପି କିରଣ ଚୌହାନ।