ମାଲକାନଗିରି ୬/୦୩: ଗୁରୁବାର ସରୁଛି ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ସକାଳୁ ୯ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସାଢେ ୧୧ଟା ଯାଏ ଚାଲିବ । ଆଜି ପିଲାଙ୍କ ସ୍କୁଲ ଲାଇଫର ଶେଷ ଦିନ । ମନଖୁସିରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ହେଲେ ମାଲ୍କାନଗିରିରୁ ଆସିଛି ଦୁଃଖଦ ଖବର । ଦୁର୍ଘଟଣାରେ ଜଣେ ପରୀକ୍ଷାର୍ଥୀଙ୍କ ଜୀବନ ଯାଇଛି । ମୃତକ ପଦ୍ମଗିରି ଉଚ୍ଚ ବିଦ୍ୟାଳୟର ଛାତ୍ର ବିକ୍ରମ ସର୍ଦ୍ଦାର । ସେ ଏମ୍ଭି-୧୦୧ ଗାଁରୁ ସ୍କୁଟିରେ ପାଣ୍ଟ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଆସୁଥିବାବେଳେ ଗାଡି ଧକ୍କା ଦେଇଥିଲା ପିକ୍ଅପ୍ ଭ୍ୟାନ । ଘଟଣାସ୍ଥଳରେ ହିଁ ବିକ୍ରମଙ୍କର ମୃତ୍ୟୁ ହୋଇଯାଇଛି ।
ତଥ୍ୟ ମୁତାବକ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ରାଜ୍ୟରେ ୩ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ । ପେପର ଲିକ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ QR କୋଡ୍ ସହ ସ୍ପେଶାଲ ନମ୍ବର ରହିଛି । ସବୁ କେନ୍ଦ୍ରରେ ସିସିଟିଭି ଫୁଟେଜ ଲାଗିଛି । ୬ ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି ।