ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍ ପାସ୍‌, ରାତିସାରା ଚାଲିଲା ଚର୍ଚ୍ଚା

Published By : Prameya-News7 Bureau | April 03, 2025 IST

ଭୁବନେଶ୍ୱର ୦୩।୦୪ : ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍- ୨୦୨୪ । ବିଲ୍ ପାରିତ ହେବା ପାଇଁ ଗୃହରେ ସାଢେ ୧୨ ଘଣ୍ଟା ଧରି ବିଧାୟକମାନେ ଆଲୋଚନା କରିଥିଲେ । ମୂଳ ବିଲ୍ ରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବା ବେଳେ, ସଂଶୋଧନ ବିଲ୍ ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖା ଯାଇଥିଲା । ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଏବଂ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା । ବିରୋଧୀ ଯୁକ୍ତି ରଖିଥିଲେ ଯେ, କୁଳାଧିପତିଙ୍କ କ୍ଷମତା ସଙ୍କୁଚିତ ହେବ। ସିନେଟ୍ ବ୍ୟବସ୍ଥା ଅର୍ଥହୀନ । ତେବେ ଶାସକ ସଭ୍ୟ ଯୁକ୍ତି ରଖିଥିଲେ ଯେ, ରାଜନୈତିକ ଉଦ୍ଦେଶ୍ୟରେ ପୂର୍ବ ସରକାର ଆଇନରେ ସଂଶୋଧନ ଆଣିଥିଲେ। ଉଚ୍ଚ ଶିକ୍ଷା ହେବ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ । 

ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଅନୁଯାୟୀ - ସିନେଟ ବ୍ୟବସ୍ଥା ପୁନଃ ସ୍ଥାପନ ହେବ। ସିନେଟରେ ଛାତ୍ର ପ୍ରତିନିଧି,୪ ଜଣ ବିଧାୟକ, ସ୍ଥାନୀୟ ସାଂସଦଙ୍କ ସହ, ଶିକ୍ଷାବିତ ଓ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷ ବି ରହିବେ। ସେହିପରି କୁଳପତି ନିଯୁକ୍ତି କମିଟିରେ ରହିବେ ୩ ସଦସ୍ୟ । ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ଜଣେ ସଦସ୍ୟଙ୍କୁ ଅଧ୍ୟକ୍ଷ ମନୋନୀତ କରିବେ କୁଳାଧିପତି। ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଗଠନ କରାଯିବ। ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କିମ୍ବା ତାଙ୍କ ପ୍ରତିନିଧିଙ୍କ ସହ ବି ୧୭ ଜଣ ଶିକ୍ଷାବିତ୍ ସଦସ୍ୟ ରହିବେ। କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି। ପୁନଃ ନିଯୁକ୍ତି ପ୍ରକ୍ରିୟା ବ୍ୟବସ୍ଥା ବି ରହିବ। କୁଳପତିଙ୍କ ଦାୟିତ୍ଵ ସରିବାର ୬ ମାସ ପୁର୍ବରୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ରେଜିଷ୍ଟର ଓ କଣ୍ଟ୍ରୋଲର ଅଫ ଫାଇନାନ୍ସଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ପୁର୍ବରୁ କୌଣସି ସମୟ ସୀମା ନଥିଲା। ବିଶ୍ଵବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତ କରିବେ କୁଳପତି। ପୁର୍ବରୁ OPSC ଚୟନ ନେଇ ବ୍ୟବସ୍ଥା ଥିଲା। ନନ ଟିଚିଂ ଷ୍ଟାଫ ଚୟନ କରୁଥିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ୍।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.