ଭୁବନେଶ୍ଵର: ଆସନ୍ତା ଜୁନ୍ ୧୨ ତାରିଖରେ ରାଜ୍ୟରେ ମୋହନ ମାଝୀଙ୍କ ବିଜେପି ସରକାରକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ବର୍ଷକ ମଧ୍ୟରେ ବିଜେପି ସରକାର କ’ଣ କରିଛନ୍ତି ତା’ର ରିପୋର୍ଟ କାର୍ଡ଼ ଦେବେ। ସରକାରଙ୍କ ରିପୋର୍ଟ କାର୍ଡ଼କୁ କୋଟିଏ ପରିବାର ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେପି। ଜୁନ୍ ୧୨ରୁ ୧୯ ତାରିଖ ଯାଏଁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର। ଏହି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ବିରୋଧୀ କହିଛନ୍ତି ସରକାରଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ।
ଜୁନ ୧୨ରେ ରାଜ୍ୟରେ ବିଜେପି ସରକାରକୁ ପୂରିବ ବର୍ଷେ । ନିଜର ରିପୋର୍ଟ କାର୍ଡ଼ ଧରି ରାଜ୍ୟର କୋଟିଏ ପରିବାର ପାଖରେ ପହଞ୍ଚିବେ ସରକାର । ବର୍ଷକ ଭିତରେ କେତେ କାମ କରିଛନ୍ତି ଲୋକଙ୍କୁ ଦେବେ ହିସାବ। ଆଉ ସରକାରଙ୍କ କାର୍ଯ୍ୟକୁ ମାର୍କ ଦେବେ ରାଜ୍ୟବାସୀ । ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ମାଝୀଙ୍କ ବିଜେପି ସରକାର କ୍ଷମତାରେ ଏକ ବର୍ଷ ପୂରଣ କରିବ। ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜୁନ୍ ୧୨ ତାରିଖରୁ ଜୁନ୍ ୧୯ ତାରିଖ ଯାଏଁ ସପ୍ତାହବ୍ୟାପୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ, ଜିଲ୍ଲା, ବ୍ଲକ, ପଞ୍ଚାୟତ ପୌରସଂସ୍ଥା ଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସରକାରକୁ ଆସିବା ପୂର୍ବରୁ ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ବର୍ଷକ ମଧ୍ୟରେ ୧୧ଟି ପ୍ରତିଶ୍ରୁତି ପୂରଣ କରିଛି। ବାକି ୧୦ ପ୍ରତିଶ୍ରୁତିଗୁଡ଼ିକୁ ଆଗାମୀ ବର୍ଷ ପୂରଣ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏଥି ସହ ଲୋକେ ଯାହା ଚାହୁଁଛନ୍ତି ତାହା ମଧ୍ୟ କାର୍ଯ୍ୟକାରୀ ହେବ । ସେହିପରି ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ବିଭାଗଓ୍ବାରୀ ସମୀକ୍ଷା କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ସରକାରଙ୍କୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କରିବ ଏହି କମିଟି । ଗତ ବୁଧବାର ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା ବୈଠକ କରିଥିଲେ ।
ସେପଟେ ରାଜ୍ୟ ସରକାରଙ୍କ ବର୍ଷ ପୁର୍ତ୍ତି ପାଳନ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିରୋଧୀ । ବିରୋଧୀ କହିଛନ୍ତି ସରକାରଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଦେବାକୁ କହିଥିଲେ । ୩ ହଜାର ଭତ୍ତା ଦେବେ ବୋଲି କହିଥିଲେ। ଧାନରେ କଟନୀ ଛଟନୀ ହେବନି ବୋଲି କହିଥିଲେ । କିନ୍ତୁ ଏସବୁ ପ୍ରତିଶ୍ରୁତି ପାଳନ କରିନାହାନ୍ତି ସରକାର। ୟା ଭିତରେ ବିଜେପି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଆଉ ଏହି ବର୍ଷକ ମଧ୍ୟରେ ସରକାର କ'ଣ କ'ଣ କରିଛନ୍ତି, ତାକୁ ନେଇ ରିପୋର୍ଟ କାର୍ଡ଼ ଦେବେ ସରକାର । ଆଉ ଲୋକେ ମଧ୍ୟ ସରକାରଙ୍କ କାର୍ଯ୍ୟରେ କେତେ ଉପକୃତ ହୋଇଛନ୍ତି ତାକୁ ନେଇ ସରକାରଙ୍କୁ ଦେବେ ମାର୍କ ।