ଆଲୋଚନାର ଲାଇଭ ଷ୍ଟ୍ରିମିଂ ଦାବିକୁ ନେଇ ମମତାଙ୍କ ବାସଭବନ ସମ୍ମୁଖରେ ଦେଢ ଘଣ୍ଟା ବର୍ଷାରେ ଭିଜିଲେ ଡାକ୍ତର

Published By : Prameya-News7 Bureau | September 14, 2024 IST

କୋଲକାତା ୧୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଜୁନିୟର ଡାକ୍ତରଙ୍କ ମଧ୍ୟରେ ଶନିବାର ରାତି ୮ଟା ୪୫ ସୁଦ୍ଧା ବୈଠକ ହୋଇପାରି ନଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣରେ ଡାକ୍ତରମାନେ କାଲିଘାଟସ୍ଥିତ ମମତାଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଛନ୍ତି, ହେଲେ ବୈଠକର ଲାଇଭ ଷ୍ଟ୍ରିମିଂକୁ ନେଇ ଜିଦରେ ଅଡି ରହିଛନ୍ତି। ଅନ୍ୟପଟେ ସରକାର ଏଥି ପାଇଁ ଅନୁମତି ଦେଉ ନାହାନ୍ତି। ତେବେ ସବୁଠୁ ଖାସ କଥା ହେଉଛି ଜୁନିୟର ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଛିଡା ହୋଇ ବର୍ଷାରେ ଭିଜୁଥିବା ବେଳେ ମମମତା ଦେଢଘଣ୍ଟା ପରେ ବାହାରକୁ ଆସିଥିଲେ। 

ମମତା ବର୍ଷାରେ ଭିଜୁଥିବା ଡାକ୍ତରଙ୍କୁ ହାତ ଯୋଡି ଘରକୁ ଡାକିବା ସହ ନ ଭିଜିବାକୁ ଅନୁରୋଧ କରିଥିଲେ। କହିଥିଲେ ରାଜନୀତିକୁ ଅଲଗା ରଖି ରାଜ୍ୟ ହୀତ ପାଇଁ ତାଙ୍କ ସହ ଆଲୋଚନା କରନ୍ତୁ। ତେବେ ଡାକ୍ତରମାନେ ବର୍ଷାରେ ଛିଡାଛିଡା ଭିଜୁଥିବା ଦେଖି ମମତା କହିଥିଲେ ଯେ ଯଦି ଭିତରକୁ ଆସିବନି ମୋ ଘରକୁ ଆସୁଥିଲ କାହିଁକି?ଆପଣମାନେ ମୋର ଅପମାନ କରୁଛନ୍ତି। ଆପଣମାନେ ବୈଠକ ନ କରିପାରନ୍ତି ହେଲେ ମୋ ଘରେ କପେ ଚା ନିଶ୍ଚିତ ପିଅନ୍ତୁ। 

ମମତା କହିଥିଲେ ଯେ ସେମାନଙ୍କ ଲାଗି ଛତା ଓ ବସିବାର ବ୍ୟବସ୍ଥା କରିଛନ୍ତି। ଏଥି ମଧ୍ୟରେ ଜୁନିୟର ଡାକ୍ତରମାନେ ତାଙ୍କର ୫ଟି ମୁଖ୍ୟ ଦାବି ରଖିଛନ୍ତି। ଯେଉଁଥିରେ ଆରଜିକର କାଣ୍ଡରେ ସାମିଲ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରିବା ଓ ଦଣ୍ଡିତ କରିବା, ପ୍ରମାଣ ନଷ୍ଟ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, କୋଲକାତା ପୋଲିସ କମିଶନର ବିନିତ ଗୋୟଲଙ୍କ ଇସ୍ତଫା, ରାଜ୍ୟର ମେଡିକାଲ, ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ଡାକ୍ତରଙ୍କ ସୁରକ୍ଷା ତଥା ଭୟମୁକ୍ତ ପରିବେଶର ଗ୍ୟାରେଣ୍ଟି ଆଦି ଦାବି କରିଛନ୍ତି। 

ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକର ସିଧା ପ୍ରସାରଣ ନିମନ୍ତେ ଡାକ୍ତରମାନେ ଦାବି କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘରୁ ଏପରି ପ୍ରସାରଣ ସମ୍ଭବ ନୁହେଁ କହି ରାଜ୍ୟ ପ୍ରଶାସନ ଖାରଜ କରିଦେଇଛି। ଏଣୁ ଡାକ୍ତର ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ସିଧା ପ୍ରସାରଣ ଏବେ ବାଧକ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.