ମ୍ୟୁଚୁଆଲ୍ ଫଣ୍ଡ୍ ନାଁରେ କୋଟିଏ ୫୮ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତର ୬ ଆକାଉଣ୍ଟ ଫ୍ରିଜ୍

Published By : Prameya-News7 Bureau | March 21, 2025 IST

କଟକ ମ୍ୟୁଚୁଆଲ‌୍ ଫଣ୍ଡ୍‌ରେ ନିବେଶ କରାଇବା ନାଁରେ ଠକେଇ ଅଭିଯୋଗ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟିଏ ୫୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି । ଏକାଧିକ ବ୍ୟକ୍ତିଙ୍କ ଠାରୁ ଏହିଭଳି ଠକେଇ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି । ଆଶିଷ କୁମାର ଜେନା ନାମକ ଯୁବକକୁ ଗିରଫ କରିଛି କଟକ ଲାଲବାଗ୍ ଥାନା ପୋଲିସ । ଅଭିଯୁକ୍ତଙ୍କ ଘର ଜଗତସିଂପୁର ଜିଲ୍ଲା ବାଲିକୁଦା ମାଛଗାଁ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ନିକଟରୁ ଗୋଟିଏ ଦାମୀ କାର୍, ଦୁଇଟି ମୋବାଇଲ ଫୋନ୍ ଓ ଲାପ୍‌ଟପ୍ ଜବତ କରାଯାଇଛି । ଅଭିଯୁକ୍ତଙ୍କର ଏକାଧିକ ଘରୋଇ ବ୍ୟାଙ୍କରେ ଥିବା ୬ ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ । ୨୦୨୦ ମସିହାରୁ ୨୦୨୪ ମସିହା ମଧ୍ୟରେ ତିନୋଟି ବଡ଼ ବଡ଼ ଆର୍ଥିକ ଠକେଇରେ ଆଶିଷ ସମ୍ପୃକ୍ତ ଥିବା ଜଣାପଡ଼ିଛି । 

ଗିରଫ ଅଭିଯୁକ୍ତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ । ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ୭୦ ଲକ୍ଷ ୧୨ ହଜାର ୯୬୮, କଟକର ଜଣେ ବ୍ୟକ୍ତିଙ୍କ ଠାରୁ ୮୨ ଲକ୍ଷ ୫୨ ହଜାର ୮୩୧ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ୬ ଲକ୍ଷ ଟଙ୍କାର ଆର୍ଥିକ ଠକେଇ ହୋଇଥିବା ଜଣାପଡିଛି । 

ଅଭିଯୋଗକାରୀ ମାନଙ୍କ ଠାରୁ   ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ ନାଁରେ ଟଙ୍କା ଆଣି ଏକ ବୀମା କମ୍ପାନୀରେ କିଛି କିଛି ଅର୍ଥ ବିନିଯୋଗ କରି ବାକି ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ଅଭିଯୁକ୍ତ । ଏପରିକି ଅଭିଯୁକ୍ତ ଏହି ଅର୍ଥରେ ବିଦେଶ ଭ୍ରମଣ କରିଥିବା ସୂଚନା ରହିଛି । ଅଭିଯୁକ୍ତ ଆଶିଷ ଏକାଧିକ ବରିଷ୍ଠ ନାଗରିକଙ୍କ ଠାରୁ ମୋଟ୍‌ କୋଟିଏ ୫୮ ଲକ୍ଷ ଟଙ୍କାର ଠକେଇ କରିଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮ ଏବଂ ୪୬୫ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।


You Can Read:

ଜନସଂଖ୍ୟା ଆଧାରରେ ଡିଲିମିଟେସନ୍ ଲାଗୁ ହେଲେ ଓଡ଼ିଶାର କ୍ଷତିହେବ, ଯାହାକୁ ନବୀନ ବିରୋଧ କରିଛନ୍ତି : ବିଜେଡ଼ି ପ୍ରତିନିଧି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.