ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବ ବହୁ ଜରୁରୀ ବିଲ୍। ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ (ୱାନ୍ ନେସନ ୱାନ ଇଲେକ୍ସନ) ବିଲ୍, ୟୁନିଫର୍ମ ସିଭିଲ କୋଡ ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହିସବୁ ବିଲ୍ ଆଣି ଏହା ଉପରେ ଚର୍ଚ୍ଚା କରାଯିବ ବୋଲି ସୂଚନା ମିଳିଛି।
ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ରେ ଦେଶରେ ଏକ ସମୟରେ ନିର୍ବାଚନ କରାଇବାର ଯୋଜନା ରହିଛି। ଅର୍ଥାତ ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ କରାଇବାକୁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ପୂର୍ବରୁ ଏହି ଯୋଜନାକୁ ଅନେକ ଥର ବିଚାର କରାଯାଇଛି। ଭରତୀୟ ଲ କମିଶନ(ବିଧି ଆୟୋଗ)ଙ୍କ ଦ୍ୱାରା ଏହାର ଅଧ୍ୟୟନ ମଧ୍ୟ କରାଯାଇଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ନିଜ ନିଜର କାର୍ଯ୍ୟକାଳ ସରିବା ପରେ ହେଉଛି। ଏହା ଦୁଇଟି ପର୍ଯ୍ୟାୟରେ ହେଉଛି।
ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ନିଜ ନିଜର କାର୍ଯ୍ୟକାଳ ସରିବା ପରେ ହେଉଛି। ଏହା ଦୁଇଟି ପର୍ଯ୍ୟାୟରେ ହେଉଛି। ହେଲେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିୟମରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ଗୋଟିଏ ଦିନରେ ହିଁ ଭୋଟଗ୍ରହଣ କରାଯିବ।
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଦୀର୍ଘଦିନ ହେଲା ବିତର୍କ ହେଇ ଆସୁଛି। ଏନେଇ ଚଳିତ ବର୍ଷ ଜାନୁଆରୀରେ ବିଧି ଆୟୋଗ ରାଜନୈତିକ ଦଳଗୁଡ଼ିକୁ ୬ ଟି ପ୍ରଶ୍ନର ଉତ୍ତର ମାଗିଥିଲେ। ସରକାର ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ଥିବାବେଳେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି।
ସଂସଦର ସ୍ୱତନ୍ତ୍ର ଅଧିବେଶ ସମ୍ପର୍କରେ ସୂଚନା ଦେଇ ଗୁରୁବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ ଦିବସୀୟ ପାଇଁ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଅମୃତକାଳ ସମୟ ଚାଲିଥିବା ବେଳେ ଫଳପ୍ରଦ ଆଲଚୋନା ହେଉ ବୋଲି ଆଶା କରୁଛୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସେହିପରି ୟୁନିଫର୍ମ ସିଭିଲ କୋଡ଼ ବା ସମାନ ଆଚରଣ ସଂହିତା ଧାର୍ମିକ ପରମ୍ପରା ସହ ଜଡ଼ିତ ରହିଛି। ଏଥିରେ ଜାତି, ଧର୍ମ, ବର୍ଣ୍ଣ, ପନ୍ଥ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ହେବ। ପୋଷ୍ୟ ସନ୍ତାନ ଓ ଉତ୍ତରାଧିକାର ସହିତ ଜଡିତ ବ୍ୟକ୍ତିଗତ ନିୟମ ଆଦି ୟୁସିସିରେ ଆସିପାରେ।