ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାର୍ଯ୍ୟରତ ସମସ୍ତ ବିଚାରପତି ଏବଂ ଭବିଷ୍ୟତରେ ନିଯୁକ୍ତି ପାଇବାକୁ ଯାଉଥିବା ବିଚାରପତିମାନେ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ସେମାନଙ୍କର ସମ୍ପତ୍ତି ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବେ। ନିକଟରେ ଭାରତର ସୁପ୍ରିମକୋର୍ଟ କିଛି ଏଭଳି ନିର୍ଦ୍ଦେଶ ଶୁଣାଇଥିଲେ।ପୂର୍ବତନ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଅଭିଯୋଗ ପରେ ବିବାଦ ବଢ଼ିବାରୁ ଏହି ନିଷ୍ପତ୍ତି ଶୁଣାଇଥିଲେ କୋର୍ଟ।
କୋର୍ଟଙ୍କର ଏଭଳି ପ୍ରୟାସ ନୂଆ ନୁହେଁ। ୧୯୯୭ ମସିହାରେ, ସୁପ୍ରିମକୋର୍ଟ "ଦି ରିସେଟମେଣ୍ଟ ଅଫ୍ ଭାଲ୍ୟୁ ଅଫ୍ ଜୁଡିସିଆଲ ଲାଇଫ୍" ନାମକ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ। ଯେଉଁଥିରେ ପ୍ରତ୍ୟେକ ସୁପ୍ରିମକୋର୍ଟ ବିଚାରପତିଙ୍କୁ ସେମାନଙ୍କର ସମ୍ପତ୍ତି ଭାରତର ମୁଖ୍ୟ ବିଚାରପତିଙ୍କ ପାଖରେ ଘୋଷଣା କରିବାକୁ ବାଧ୍ୟ କରାଯାଇଥିଲା। ସେହିପରି ହାଇକୋର୍ଟ ବିଚାରପତିମାନଙ୍କୁ ସେମାନଙ୍କର ଅଦାଲତର ମୁଖ୍ୟ ବିଚାରପତିମାନଙ୍କୁ ସମାନ ବିବରଣୀ ଦେବାକୁ କୁହାଯାଇଥିଲା। ହେଲେ ଏହି ବିବରଣୀଗୁଡ଼ିକୁ ସାର୍ବଜନୀନ କରାଯାଉ ନଥିଲା କିନ୍ତୁ ପ୍ରତିବର୍ଷ ଅପଡେଟ୍ ହେଉଥିଲା
ହେଲେ ଏହାର ବାର ବର୍ଷ ପରେ, ଜନସାଧାରଣଙ୍କ ଯାଞ୍ଚ ଏବଂ ସମାଲୋଚନା ଦ୍ୱାରାର ଶିକାର ହେବା ପରେ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ଜନସାଧାରଣଙ୍କ ନିକଟରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ତଥାପି, କୋର୍ଟ କହିଥିଲେ ଯେ ଏହା ପ୍ରତ୍ୟେକ ବିଚାରପତିଙ୍କ ଦ୍ୱାରା ଏକ ସ୍ୱେଚ୍ଛାକୃତ ନିଷ୍ପତ୍ତି ହେବ।
ତେବେ ସର୍ବୋଚ୍ଚ ଅଦାଲତଙ୍କର ଏହି ସ୍ୱେଚ୍ଛାକୃତ ପ୍ରକାଶନ ନିଷ୍ପତ୍ତି କିପରି ସିଷ୍ଟମରେ ସ୍ୱଚ୍ଛତା ଆଣିଛି, ଆଇନ କ'ଣ ବ୍ୟବସ୍ଥା ରହିଛି ସେ ନେଇ ବାର ବେଞ୍ଚ୍ ୱେବ୍ସାଇଟର ଏକ ରିପୋର୍ଟ ପ୍ରକାଶ କରିଛି।
କେତେ ଜଣ ବିଚାରପତି ସେମାନଙ୍କର ସମ୍ପତ୍ତି ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତି?
ବାରବେଞ୍ଚ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟ ଏବଂ ଦେଶର ୨୫ଟି ହାଇକୋର୍ଟର ୱେବସାଇଟରେ ଉପଲବ୍ଧ ତଥ୍ୟ ସମୀକ୍ଷା କରିବାରୁ ଜଣାପଡିଛି ଯେ ୧୧ ଏପ୍ରିଲ, ୨୦୨୫ ସୁଦ୍ଧା ଭାରତରେ କେବଳ ୧୧.୯୪% କାର୍ଯ୍ୟରତ ବିଚାରପତି ସେମାନଙ୍କର ସମ୍ପତ୍ତି ଜନସାଧାରଣଙ୍କ ନିକଟରେ ପ୍ରକାଶ କରିଛନ୍ତି। ସେହିପରି ସୁପ୍ରିମକୋର୍ଟର ୩୩ ଜଣ ବିଚାରପତିଙ୍କ ମଧ୍ୟରୁ ୩୦ ଜଣ ମୁଖ୍ୟ ବିଚାରପତିଙ୍କୁ ସେମାନଙ୍କର ସମ୍ପତ୍ତି ବିଷୟରେ ଜଣାଇଥିବାବେଳେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାର ବିବରଣୀ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶ ପାଇନାହିଁ ବୋଲି ଜଣାପଡ଼ିଛି।
ତେବେ ହାଇକୋର୍ଟର ପରିସ୍ଥିତି ଚିନ୍ତାଜନକ ରହିଛି। ୭୬୨ ଜଣ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ସମ୍ପତ୍ତି ମଧ୍ୟରୁ କେବଳ ୯୫ ଜଣଙ୍କ(୧୨.୪୬%) ସମ୍ପତ୍ତି ସେମାନଙ୍କ କୋର୍ଟର ୱେବସାଇଟରେ ଉପଲବ୍ଧ ରହିଛି। ଦେଶରେ ୧୮ଟି ହାଇକୋର୍ଟ ଅଛି ଯେଉଁଠାରେ ବିଚାରପତିଙ୍କ ସମ୍ପତ୍ତି ବିଷୟରେ କୌଣସି ସୂଚନା ନାହିଁ। ଏଥିରେ ଦେଶର ସର୍ବବୃହତ ହାଇକୋର୍ଟ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ସାମିଲ ରହିଛନ୍ତି। ଯେଉଁଟାରେ ୮୧ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଏହା ପଛକୁ ରହିଛନ୍ତି ବମ୍ବେ, କଲିକତା, ଗୁଜରାଟ ଏବଂ ପାଟନା ହାଇକୋର୍ଟ।
ତେବେ କେରଳ ହାଇକୋର୍ଟ ଏହାର ୪୪ ଜଣ ବିଚାରପତିଙ୍କ ମଧ୍ୟରୁ ୪୧ ଜଣ(୯୩%) ସେମାନଙ୍କର ସମ୍ପତ୍ତି ଘୋଷଣା କରି ସ୍ୱଚ୍ଛତା କ୍ଷେତ୍ରରେ ଆଗରେ ରହିଛନ୍ତି। ତାହା ପୁଣି ସୁପ୍ରିମକୋର୍ଟଙ୍କ ସମ୍ପ୍ରତି ନିଷ୍ପତ୍ତି ପରେ ହୋଇଛି ବୋଲି ବାର୍ବେଞ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି।
ବାକି କୋର୍ଟମାନଙ୍କର ତାଲିକା ତଳେ ଦିଆଯାଇଥିବା ବକ୍ସରେ ଦେଖି ନିଅନ୍ତୁ।
କ’ଣ କହୁଛି ଆଇନ?
ସୁପ୍ରିମକୋର୍ଟ ବିଚାରପତି (ବେତନ ଏବଂ ସେବା ସର୍ତ୍ତାବଳୀ) ଆଇନ, ୧୯୫୮ ଏବଂ ହାଇକୋର୍ଟ ବିଚାରପତି (ବେତନ ଏବଂ ସେବା ସର୍ତ୍ତାବଳୀ) ଆଇନ, ୧୯୫୪ ଏବଂ ଏହି ଆଇନଗୁଡ଼ିକ ପରେ ଥିବା ନିୟମ ଅନୁଯାୟୀ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ଦ୍ୱାରା ସମ୍ପତ୍ତି ଘୋଷଣା କରିବାର କୌଣସି ବ୍ୟବସ୍ଥା ନାହିଁ। ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଘୋଷଣା ସ୍ୱେଚ୍ଛାକୃତ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ହେଉଛି।
କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୨୦୧୦ ମସିହାରେ ଜୁଡିସିଆଲ୍ ଷ୍ଟାଣ୍ଡାର୍ଡସ୍ ଆଣ୍ଡ୍ ଆକାଉଣ୍ଟେବିଲିଟି ବିଲ୍ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ବିଚାରପତିମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ଦାୟିତ୍ୱ ଏବଂ ସେମାନଙ୍କ ପତି/ପତ୍ନୀ ଏବଂ ପିଲାମାନଙ୍କର ସମ୍ପତ୍ତି ଘୋଷଣା କରିବାକୁ ପଡ଼ିବ ବୋଲି ନିୟମ ରହିଥିଲା। ଏହାର ଉଦ୍ଦେଶ୍ୟ ଜଜ୍ ଇନକ୍ୱିର ଆକ୍ଟ ୧୯୬୮(ବିଚାରପତି ତଦନ୍ତ ଆଇନ) କୁବଦଳାଇବା ଥିଲା। କିନ୍ତୁ ପଞ୍ଚଦଶ ଲୋକସଭା ଭଙ୍ଗ ହେବା ପରେ, ବିଲ୍ଟି ଅକାମୀ ହୋଇଗଲା ଏବଂ ତା’ପରେ ଏହା କେବେ ସଂସଦରେ ଉପସ୍ଥାପିତ ହୋଇନଥିଲା।