ନୂଆଦିଲ୍ଲୀ ୧୫/୯: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ ବୟାନ । କହିଲେ ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ବିରୋଧୀ । କିନ୍ତୁ ମୁଁ ମନା କରିଦେଇଥିଲି । କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଏ ବିବୃତିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଶନିବାର ଏକ ସାମ୍ବାଦିକ ଆୱାଡ ଫଙ୍କସନରେ ଯୋଗଦେଇ ଗଡକରୀ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ । କହିଥିଲେ ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡରେ ରୁହନ୍ତି ତେବେ ତାଙ୍କୁ ସମର୍ଥନ କରିବେ । କିନ୍ତୁ ସେହି ସମୟରେ ହିଁ ମୁଁ ତାଙ୍କ ପ୍ରସ୍ତାବକୁ ମନା କରିଦେଇଥିଲି । ଆଉ ସେ ନେତାଙ୍କୁ ଜଣାଇ ଦେଇଥିଲି ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ । ମୁଁ ମୋର ଧାରଣା ଓ ସଂଗଠନର ପ୍ରତି ବିଶ୍ବସ୍ତ ରହିବାକୁ ଚାହେଁ ।
କୌଣସି ବି ପଦବୀ ପାଇଁ ମୁଁ ମୋର ଚିନ୍ତାଧାରା ସହ ସାଲିସ କରିପାରିବି ନାହିଁ । ମୁଁ ଏମିତି ଏକ ଦଳରୁ ଆସିଛି ଯେଉଁ ଦଳ ମୋତେ ସବୁ ଦେଇଛି ଯାହା ମୁଁ କେବେ ଆଶା କରିନଥିଲି । କୌଣସି ବି ପ୍ରସ୍ତାବ ମୋତେ ପ୍ରଲୋଭିତ କରିପାରିବ ନାହିଁ ।ତେବେ ଏ ବୟାନ ଦେବା ସମୟରେ ସେ କାହାର ନାଁ ନେଇନହାହାନ୍ତି । ସେ ଆହୁରି କହିଛନ୍ତି ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର ,ଗଣତନ୍ତ୍ରକୁ ମଜଭୁତ ରଖିବାରେ ନୀତି ଆଦର୍ଶର ଭୂମିକା ଗୁରୁତ୍ବପୂର୍ଣ୍ଣ । ସାମ୍ବାଦିକଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଯେତେବେଳେ ନ୍ୟାୟପାଳିକା, ସାମ୍ବାଦିକତା,କାର୍ଯ୍ୟପାଳିକା ଓ ରାଜନେତା ୪ ଜଣ ସେମାନଙ୍କର ଆଦର୍ଶ ଅନୁସରଣ କରିବେ,ସେତେବେଳେ ଗଣତନ୍ତ୍ର ସଫଳ ହେବ ।