ନୂଆଦିଲ୍ଲୀ: ମହାରାଷ୍ଟ୍ର ନାଗପୁରର ଲୋକପ୍ରିୟ ଚା’ ବିକ୍ରେତା ସୁନୀଲ ପାଟିଲ, ଓରଫ ଡଲି ଚାଇବାଲା ଏବେ ନିଜ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛନ୍ତି। ସାରା ଭାରତରେ ଏକ ଫ୍ରାଞ୍ଚାଇଜ୍ ମଡେଲ୍ ମାଧ୍ୟମରେ ତାଙ୍କର ବ୍ରାଣ୍ଡ୍ "ଡଲି କି ଟପ୍ରି"କୁ ଦେଶବ୍ୟାପୀ ବିସ୍ତାର କରିବାକୁ ସେ ଯୋଜନା ଘୋଷଣା କରିଛନ୍ତି। ତାଙ୍କ ଘୋଷଣା କରିବା ପରେ ତାଙ୍କୁ ୧,୬୦୯ ଟି ଆବେଦନ ମିଳିଥିବା ମନିକଣ୍ଟ୍ରୋଲ୍ ରିପୋର୍ଟ ପ୍ରକାଶ ପାଇଚି। ସୁନୀଲ ପାଟିଲଙ୍କର ଗ୍ରାହକଙ୍କୁ ଚା’ ଦେବାରର ଅନନ୍ୟ ଶୈଳୀ ତାଙ୍କୁ ଭାଇରାଲ୍ କରାଇଥିଲା। ଏହାପରେ ଆମେରିକାର ଶିଳ୍ପପତି ବିଲ୍ ଗେଟ୍ସ ମଧ୍ୟ ଆସି ତାଙ୍କ ଠାରୁ ଚା’ ପିଇଥିଲେ। ଏହାପର ଠାରୁ ଡଲିଙ୍କର ଲୋକପ୍ରିୟତା ଦେଶ ବିଦେଶରେ ବଢ଼ି ଯାଇଥିଲା।
ବିଜନେଶ ପ୍ଲାନ୍ ଘୋଷଣା କରିବା ପରେ ସୁନୀଲ ଏନେଇ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି “ଆମେ ସାରା ଭାରତରେ ଆମର ଡଲି ଫ୍ରାଞ୍ଚାଇଜ୍ ଚା’ ଷ୍ଟୋର ଏବଂ କାର୍ଟ ଆରମ୍ଭ କରିବାକୁ ନେଇ ବହୁତ ଉତ୍ସାହିତ।”
ଡଲି ଚାଇୱାଲାଙ୍କ ଫ୍ରାଞ୍ଚାଇଜ୍ କୋଷ୍ଟ କ’ଣ ହେବ?
ରିପୋର୍ଟ ଅନୁଯାୟୀ, ସାଧାରଣ ଟପ୍ରି କାର୍ଟ ପାଇଁ ଫ୍ରାଞ୍ଚାଇଜ୍ ବିକଳ୍ପଗୁଡ଼ିକର ମୂଲ୍ୟ ୪.୫ ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି। ସେହିପରି ଷ୍ଟୋର ମଡେଲଗୁଡ଼ିକର ମୂଲ୍ୟ ୨୦ ରୁ ୨୨ ଲକ୍ଷ ଟଙ୍କା ମଧ୍ୟରେ ହେବ) ଏବଂ ପୂର୍ଣ୍ଣାଙ୍ଗ ଫ୍ଲାଗସିପ୍ କାଫେଗୁଡ଼ିକର ମୂଲ୍ୟ ୩୯ ରୁ ୪୩ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ।
ଡଲି ସୋସିଆଲ ମିଡିଆରେ ଫ୍ରାଞ୍ଚାଇଜି ମଡେଲ ଲଞ୍ଚ କରିବା ପରେ ନେଟିଜେନମାନଙ୍କର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ୟୁଜର ବ୍ୟବସାୟ ମଡେଲକୁ ସମର୍ଥନ କରିଥିଲେ ଏବଂ ଅନ୍ୟ କେତେକ ଏହାକୁ ସମାଲୋଚନା କରିଥିଲେ। ଜଣେ ୟୁଜର ଲେଖିଥିଲେ "ବର୍ଗର ଖାଏଗାରୁ ବର୍ଗର ବେଚେଗା ପର୍ଯ୍ୟନ୍ତ, ଡଲି ବହୁତ ଆଗକୁ ଆସିଛି। ଶୁଭେଚ୍ଛା।" ସେହିପରି ଆଉଜଣେ ୟୁଜର ପ୍ରତିକ୍ରିୟା ଦେଇ ଡଲିକୁ ପାରମର୍ଶ ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଏମ୍ବିଏ ଚାଏବାଲାର ପରିସ୍ଥିତି କଣ ହେଲା ମନେ ଅଛି ତ ? ଚା’ ରାସ୍ତାରେ ପଇସା କମାଏ, ଏହା ମନେ ରଖ। ସାଧାରଣ ଲୋକଙ୍କର ପାନୀୟ ଇଏ ତେଣୁ ସାଧାରଣ ସ୍ଥାନରେ ପିଆଯାଏ।”
ତେବେ ଇଣ୍ଟରନେଟ୍ରେ ଦେଖା ଦେଇଥିବା ପ୍ରତିକ୍ରିୟା ଡଲିଙ୍କୁ ପ୍ରଭାବିତ କରିପାରି ନାହିଁ। ଏନେଇ ସେ କହିଛନ୍ତି "ମୁଁ ସ୍କୁଲ ଯିବାର ସୁଯୋଗ ପାଇଲି ନାହିଁ। କିନ୍ତୁ ମୁଁ ମୋର ଚା’ ଗାଡ଼ି ପଛରେ ୨୦ ବର୍ଷ ବିତାଇଛି। ଏବଂ ମୁଁ କେବେ ହାର ମାନି ନାହିଁ। ଆଜି, ମୁଁ ଭାଗ୍ୟବାନ ଅନୁଭବ କରୁଛି କିନ୍ତୁ ତା'ଠାରୁ ଅଧିକ, ମୁଁ ଗର୍ବିତ ଅନୁଭବ କରୁଛି।"