ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ର ପିଛା ଛାଡ଼ୁନି ଟେନସନ୍ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ବୁଡ଼ିଯାଇଥିବା ପାକ୍ ଟିମ୍ ପାଇଁ ପୁଣି ଥରେ ମୁସ୍କିଲ ବଢ଼ିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ସ୍ଲୋ-ଓଭର ରେଟ୍ ପାଇଁ ଫାଇନ୍ ଲାଗିଛି । ମ୍ୟାଚ୍ ଫି’ ଉପରେ ପାଞ୍ଚ ପ୍ରତିଶତ ଜରିମାନା ଲଗାଇଛି ଆଇସିସି ।
ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ପାକିସ୍ତନ ଦଳ ପ୍ରଥମେ ପାଞ୍ଚ ଟିକିଆ ଟି-୨୦ ସିରିଜ୍ ୧-୪ରେ ପରାସ୍ତ ହେବା ପରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ହ୍ବାଇଟ୍ ଓ୍ବାସ୍ ହୋଇଛି । ତେବେ ଏହି ଦ୍ବିପାକ୍ଷିକ ସିରିଜରେ ସ୍ଲୋ-ଓଭର ରେଟ୍ ପାଇଁ ଦଳ ଉପରେ ଫାଇନ୍ ଲାଗିଛି । ମ୍ୟାଚ୍ ଫି’ରେ ୫ ପ୍ରତିଶତ ଜରିମାନା ଲଗାଇଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ । ଏହି ଫାଇନ୍ ନ୍ୟୁଜିଲାଣ୍ଡ ବିରୋଧରେ ମାଉଁଣ୍ଟ ମାଉଁଗାନୁଇରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୋଟିଏ ଓଭର କମ୍ ବୋଲିଂ କରିଥିଲା ।
ସୂଚନା ଅନୁଯାୟୀ, ଖେଳାଳି ଓ ଖେଳାଳିଙ୍କ ସହଯୋଗୀ ଷ୍ଟାଫଙ୍କ ପାଇଁ ଆଇସିସି ଆଚାର ସଂହିତାର ସ୍ଲୋ-ଓଭର ରେଟ୍ ସହିତ ଜଡ଼ିତ ଅନୁଚ୍ଛେଦ ୨.୨୨ ଅନୁସାରେ ଏହି ନିୟମ ଲାଗୁ ହୋଇଛି । ନିର୍ଦ୍ଧାରିତ ସମୟ ଭିତରେ ବୋଲିଂ ଶେଷ ନହେଲେ ପ୍ରତି ଓଭର ଦରରେ ମ୍ୟାଚ୍ ଫି’ ୫ ପ୍ରତିଶତ ଲାଗିବ । ଟିମ୍ ରିଜଓ୍ବାନ ନ୍ୟୁଜିଲାଣ୍ଡ ସହିତ ତୃତୀୟ ଦିନିକିଆରେ ଧିମା ଓଭର ବୋଲିଂ କରିବାରୁ ଏହି ଜରିମାନା ଲାଗିଛି । ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନ ମଧ୍ୟ ଏହାକୁ ସ୍ବିକାର କରିଛନ୍ତି ।