ପାକ୍ ଜେନେରାଲଙ୍କ ମୁହଁରେ ଆତଙ୍କୀ ହାଫିଜ୍ ଭାଷା, ଭାରତକୁ ଦେଖାିଇଲେ ନାଲିଆଖି

Published By : Prameya-News7 Bureau | May 23, 2025 IST

ପେଶାଓ୍ୱାର ୨୩/୦୫: ଯେତେ ଯାହା ହେଲେ ବି ଛାଡୁନି ମୁହଁ ଫୁଟାଣି । ପାକ୍ ସେନା ମୁହଁରେ ଆତଙ୍କୀ ହାଫିଜ୍‌ର ଭାଷା ଶୁଣିବାକୁ ମିଳିଛି । ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡିଛି । ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ପାକିସ୍ତାନୀ ସୈନ୍ୟ ପ୍ରବକ୍ତା ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ । ଭାରତର ସିନ୍ଧୁ ଚୁକ୍ତି ବାତିଲ ପରେ ପାଣି ନ ପାଇଁ ଛଟପଟ ହେଉଛି ପାକିସ୍ତାନ । 

ଭାରତକୁ ନେଇ ସେ ଦେଇଥିବା ବୟାନ ଆତଙ୍କବାଦୀ ହାଫିଜ୍ ସଇଦର ଭାଷା ସହ ସମାନ ହୋଇଛି । ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ଭାରତ ଓ ଆମେରିକା ବିରୋଧରେ ଉସକାଇବା ପରି ଭାଷଣ ଦେବାର ଇତିହାସ ରହିଛି । ପାକିସ୍ତାନ ସେନାର ପ୍ରୋପାଗେଣ୍ଡା ୱିଙ୍ଗ ଇଣ୍ଟର- ସର୍ଭିସେଜ ପବ୍ଲିକ ରିଲେଶଂସ ଡିଜି (ଆଇଏସପିଆର ଡିଜି) ଅହମ୍ମଦ ଶରିଫ୍ ଚୌଧୁରୀ ଭାରତ ବିରୋଧୀ ବୟାନବାଜି ଦେଇଛନ୍ତି । 

ସେ କହିଛନ୍ତି ଯଦି ଭାରତ ପାଣି ବନ୍ଦ କରେ ତେବେ ଆମେ ନିଶ୍ୱାସ ବନ୍ଦ କରିଦବୁ । ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀଙ୍କ ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି । ସେଥିରେ ସେ କହୁଥିବା ଦେଖାଯାଇଛି, "ଯଦି ତୁମେ ଆମର ପାଣି ବନ୍ଦ କର, ତେବେ ଆମେ ତୁମ ଗଳା କାଟି ଦେବୁ"। ସେ ସ୍ପଷ୍ଟ ଭାବରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜଳ ବଣ୍ଟନ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ସାମ୍ପ୍ରତିକ ପଦକ୍ଷେପକୁ ଇଙ୍ଗିତ କରୁଥିଲେ। 

ଏହି ମନ୍ତବ୍ୟ ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ସଇଦର ପ୍ରତିଫଳ। ଯିଏକି ପୂର୍ବରୁ କହିଥିଲା, ‘‘ଯଦି ତୁମେ ପାଣି ବନ୍ଦ କର। ଭଗବାନଙ୍କ ରାଣ, ଆମେ ତୁମ ନିଶ୍ବାସ ବନ୍ଦ୍‌ କରିବୁ।’’ଯାହାକି ଇଣ୍ଟରନେଟରେ ଭାଇରାଲ୍‌ ହୋଇଥିଲା। ଅନେକ ଏଥିରେ ଥିବା ଆଶ୍ଚର୍ଯ୍ୟଜନକ ସମାନତାଗୁଡ଼ିକୁ ଦର୍ଶାଇ ଏହା କହିଛନ୍ତି ଯେ ପାକିସ୍ତାନୀ ସେନା ଓ ଆତଙ୍କବାଦର ଭାଷା ଗୋଟିଏ। 

ଭାରତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପ୍ରଶ୍ନ ଉଠାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ କରି ଏହି ପଦକ୍ଷେପ ନୂଆଦିଲ୍ଲୀ ଦ୍ୱାରା ଇସଲାମାବାଦ ବିରୋଧରେ ନିଆଯାଇଥିବା ଦଣ୍ଡାତ୍ମକ ପଦକ୍ଷେପର ଏକ ଅଂଶ ବୋଲି ଦର୍ଶାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.