ୱାକଫ୍ ବିଧେୟକରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରି, ବିରୋଧୀଙ୍କ ପ୍ରସ୍ତାବ ଖାରଜ

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ: ୱାକଫ୍ ସମ୍ୱୋଧନ ବିଧେୟକକୁ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ମଞ୍ଜୁରି ମିଳିଛି । ଏଥିରେ ୧୪ ପରିବର୍ତ୍ତନ କରାଯାଇଛି । ଆଗାମୀ ବଜେଟ୍ ଅଧିବେଶନରେ ରିପୋର୍ଟକୁ ସଂସଦରେ ରଖାଯିବ । ବିଜେପି ସାଂସଦ ଜଗଦମ୍ୱିକା ପାଲ୍‌ଙ୍କ ନେତୃତ୍ୱାଧୀନ କମିଟି ଆଗରେ ମୋଟ ୪୪ଟି ପରିବର୍ତ୍ତନ ପ୍ରସ୍ତାବିତ କରାଯାଇଥିଲା । ଏଥିରୁ ଅନେକ ପ୍ରସ୍ତାବ ବିରୋଧୀ ସାଂସଦଙ୍କ ଦ୍ୱାରା ଦିଆଯାଇଥିଲା, କିନ୍ତୁ ମତଦାନ ଜରିଆରେ ବିରୋଧୀଙ୍କ ଦ୍ୱାରା ପ୍ରସ୍ତାବିତ ପରିବର୍ତ୍ତନକୁ ଅସ୍ୱୀକାର କରାଯାଇଥିଲା ।

ୱାକଫ୍ ସଂଶୋଧନ ବିଧେୟକର ଯାଞ୍ଚ କରୁଥିବା ଜେପିସି ସୋମବାର ଏନଡିଏ ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ସଂଶୋଧନକୁ ସ୍ୱୀକାର କରିଛି । ଅନ୍ୟପଟେ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ଅସ୍ୱୀକାର କରିଛି । ଜେପିସି ଅଧ୍ୟକ୍ଷ ଜଗଦମ୍ୱିକା ପାଲ ସାମ୍ୱାଦିକଙ୍କୁ କହିଛନ୍ତି ଯେ ସମିତି ଦ୍ୱାରା ଗ୍ରହଣ କରାଯାଇଥିବା ସଂଶୋଧନ ଆଇନକୁ ଅଧିକ ପ୍ରଭାବୀ କରାଇବ । 

ଜେପିସି ଅଧ୍ୟକ୍ଷ ପାଲ୍ କହିଛନ୍ତି, 'ଏହା ଆମର ଶେଷ ବୈଠକ ଥିଲା । ଜେପିସି ବୈଠକରେ ୪୪ ସଂଶୋଧନ ଉପରେ ଚର୍ଚ୍ଚା ହୋଇଛି । ଆମେ ସମସ୍ତ ସଦସ୍ୟଙ୍କୁ ପ୍ରସ୍ତାବିତ ଶଂସୋଧନ ମାଗିଥିଲୁ । ସମିତି ୧୪ ସଂଶୋଧନକୁ ବହୁମତ ଆଧାରରେ ସ୍ୱୀକାର କରିଛି । ବିରୋଧୀ ମଧ୍ୟ କିଛି ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ମତଦାନ ବେଳେ ବହୁମତ ଆଧାରରେ ସେହି ସବୁକୁ ଖାରଜ କରିଦିଆଯାଇଛି ।; ଜେପିସି ସଦସ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଜେପିସି ବୈଠକ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ରୂପେ ଶେଷ ହୋଇଛି । ସମସ୍ତଙ୍କୁ ମତବ୍ୟକ୍ତ କରିବାର ସୁଯୋଗ ଦିଆଯାଇଛି । ବିଧେୟକ ଉପରେ ୧୦୮ ଘଣ୍ଟା ଚର୍ଚ୍ଚା ହୋଇଛି ଏବଂ ୨୮୪ ହିତଧାରକଙ୍କ ସହ ଆଲୋଚନା କରାଯାଇଛି । ଯେଉଁ ସଂଗଠନଗୁଡ଼ିକ ଦିଲ୍ଲୀ ଆସିପାରିଲେ ନାହିଁ, ସେମାନଙ୍କ ସଦସ୍ୟଙ୍କ ସହ ବିଭିନ୍ନ ରାଜ୍ୟକୁ ଯାଇ ବିଧେୟକ ଉପରେ ଚର୍ଚ୍ଚା କରାଯାଇଛି ।  

ଅନ୍ୟପଟେ ସମିତିର କାର୍ଯ୍ୟକୁ ବିରୋଧୀ ଦଳ ସମାଲୋଚନା କରିବା ସହ ଏହାର ଅଧ୍ୟକ୍ଷ ଜଗଦମ୍ୱିକା ପାଲ୍ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, 'ଏହା କେବଳ ଦେଖାଇବା ପାଇଁ ବୈଠକ ଥିଲା । ଆମ କଥାକୁ ଶୁଣାଗଲାନି । ପାଲ୍ ଏକଛତ୍ରବାଦୀ ପ୍ରକ୍ରିୟାରେ କାମ କଲେ ।' ଅନ୍ୟପଟେ ଜେପିସି ଅଧ୍ୟକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ପୂରା ପ୍ରକ୍ରିୟା ଗଣତାନ୍ତ୍ରିକ ଥିଲା ଏବଂ ବହୁମତ ଜରିଆରେ ନିଷ୍ପତ୍ତି ନିଯାଇଛି ବୋଲି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.