ବଡ଼ବିଲ ୧୮।୬: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ସଶସ୍ତ୍ର ଡକାୟତି ଘଟଣାରେ ଜାରି ହେଲା ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ । ଏହି ଫଟୋ ଜାରି କଲା ଯୋଡ଼ା ପୋଲିସ । ସନ୍ଦିଗ୍ଧ ମାନଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଗତ ୧୨ ତାରିଖରେ ଘଟିଥିଲା ସୁଟ୍ ଘଟଣା ।
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ସପ୍ତାହ ପରେ ବି ପୋଲିସର ହାତ ଖାଲି । ଡକାୟତଙ୍କୁ ଧରିବା ପାଇଁ ତମାମ୍ ଉଦ୍ୟମ ଜାରି ରଖିଥିଲେ ବି ଅପରାଧୀଙ୍କ ନିକଟରେ ପହଞ୍ଚିବା ପରେ ଯୋଡ଼ା ପୋଲିସ ବିଫଳ ହୋଇଛି । ଶେଷରେ ସନ୍ଦିଗ୍ଧ ଅପରାଧୀ ମାନଙ୍କର ଫଟୋ ଜାରି କରି ଜନସାଧାରଣଙ୍କ ସାହାଯ୍ୟ ଲୋଡ଼ିଛି ପୋଲିସ । ସହର ମଧ୍ୟରେ ଲାଗିଥିବା କିଛି ସିସିଟିଭି ଫୁଟେଜରୁ ଏହି ଫଟୋ ବାହାର କରି ଯୋଡ଼ା ପୋଲିସ ପକ୍ଷରୁ ଜାରି କରାଯାଇଛି । ଦୁଇଟି ବାଇକ୍ରେ ୫ ଜଣ ବସି ଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି । ନିଜ ନାଁ ଗୋପନ ରଖି ସନ୍ଦିଗ୍ଧ ମାନଙ୍କ ସମ୍ପର୍କରେ ସଠିକ୍ ଖବର ଦେବା ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ ତରଫରୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସନ୍ଦିଗ୍ଧ ଅପରାଧୀ ମାନେ ବିହାର, ଝାଡ଼ଖଣ୍ଡ କିମ୍ବା ଗଞ୍ଜାମ ଅଞ୍ଚଳର ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।
ଗତ ୧୨ ତାରିଖରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ବନ୍ଧୁକ ମୁନରେ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଥିଲେ ଡକାୟତ ଦଳ । ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ସମସ୍ତଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ କିଛି କର୍ମଚାରୀଙ୍କୁ ମାଡ଼ ମାରି ଏକ ରୁମ୍ରେ ବନ୍ଧକ ରଖିଥିଲେ । କ୍ୟାସ୍ ବକ୍ସରୁ ଟଙ୍କା ଓ ସୁନା ପ୍ୟାକେଟ୍ ନେଇଯାଇଥିଲେ ଦୁର୍ବୃତ୍ତ । ଯିବାବେଳେ ସିସିଟିଭି ଡିଭିଆର୍ ମଧ୍ୟ ସାଥିରେ ନେଇଯାଇଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍ପି ନୀତେଶ ୱାଧ୍ୱାନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିଥିଲେ ।
You Can Read: