ଭୁବନେଶ୍ୱର ୧୨।୦୬ : ଆମ ଭବିଷ୍ୟତ, ଆମ ହାତରେ । ତେଣୁ ନିଜକୁ କେଉଁ ସ୍ଥାନରେ ପହଞ୍ଚାଇବାକୁ ଚାହୁଁଛେ ତାହା ଏବେଠୁ ସ୍ଥିର କର । ଲକ୍ଷ୍ୟ ବାଛି ଆଗେଇ ଚାଲ । ଆମ ପାଦ ତଳେ କେତେ ଜମି ଅଛି ତାହା ଗୁରୁତ୍ୱ ନୁହେଁ, କେତେ ଜ୍ଞାନ ଅଛି ତାହା ଗୁରୁତ୍ୱପୂର୍ଣ୍ଣ । ଏହା ହିଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ତେଣୁ ପାଠ ପଢ଼ ଏବଂ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଅ ବୋଲି ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ପକ୍ଷରୁ ଆୟୋଜିତ ଯୁକ୍ତ ଦୁଇ ମେଧାବୀ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ରବିବାର ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ପକ୍ଷରୁ ସୋଆ (ଶିକ୍ଷା ଓ ଅନୁସନ୍ଧାନ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍-୨ ସମ୍ମେଳନ କକ୍ଷ (ଆଇବିସିଏସ୍ କନ୍ଭେନ୍ସନ୍ ହଲ୍)ରେ ଯୁକ୍ତ ଦୁଇ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ରାଜ୍ୟର ଶ୍ରେଷ୍ଠ ୧୫୦ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
{"id":802290,"sizeSlug":"full","linkDestination":"none"}ଏହି ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଆଜିର ଆବଶ୍ୟକତା କାଲିକୁ ନାହିଁ । ପ୍ରତ୍ୟେକ ଦିନ ପରିବର୍ତ୍ତନର ଦିନ । ଏହା ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆହ୍ୱାନର ବିଷୟ । ସେଥିପାଇଁ ନିଜ ପରିଚୟ ଗଢ଼ିବାର ନିଷ୍ପତ୍ତି ଆଜିଠୁ ସ୍ଥିର କରି ଆଗେଇବାକୁ ହେବ । ଫଳରେ ଲକ୍ଷ୍ୟ ସାଧନ ସାଙ୍ଗକୁ ସଫଳତାର ଶୀର୍ଷରେ ପହଞ୍ଚିହେବ । ସେତେବେଳେ ସାରା ବିଶ୍ୱ ସମ୍ବର୍ଦ୍ଧିତ କରିବ । ସମ୍ବର୍ଦ୍ଧିତ ହେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହସ ଓ ଶକ୍ତି ରହିଛି । ଛାତ୍ରଛାତ୍ରୀମାନେ ଧୈର୍ଯ୍ୟର ସହ ପାଠପଢ଼ି ଆଜି ରାଜ୍ୟର ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି । ଏହି ଅନୁଭୂତି ସବୁଦିନ ପାଇଁ ମନେ ରହିବ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ପ୍ରେରଣା ଦେବ । ଟେକ୍ନୋଲୋଜି ପାଇଁ ବର୍ତ୍ତମାନ ସବୁକିଛି ଆମ ହାତ ମୁଠାରେ । ତେଣୁ ଖାଲି ଚିନ୍ତା କଲେ ହେବ ନାହିଁ ବରଂ ସୃଜନଶୀଳତା ଓ ଉଦ୍ଭାବନ କରିବାକୁ ପଡ଼ିବ । ସେନେଇ ଚିନ୍ତା କରିବାର ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ କହିଥିଲେ ।
ମୁଖ୍ୟ ବକ୍ତା ଓଡ଼ିଶା ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ବର୍ତ୍ତମାନ ମେଧାଭିତ୍ତିକ ସମାଜ ଗଠନ ପାଇଁ ଶୃଙ୍ଖଳିତ, ସମୟାନୁବର୍ତ୍ତି ହେବାକୁ ପଡ଼ିବ । କେହି ଜୀବନରେ ବିଫଳ ନୁହେଁ, ଯିଏ ସମାଜ ପାଇଁ କିଛି କରୁଛି ସେ ସଫଳ । ଜୀବନରେ କେବେ ଔଦ୍ଧତ୍ୟ ଦେଖାଇବା ନାହିଁ କି କାହାକୁ ଛୋଟ ମନେ କରିବାନି । ସମସ୍ତଙ୍କୁ ଉଚିତ୍ ସମ୍ମାନ ଦେବା । ସର୍ବଦା ସମାଜର ଉନ୍ନତି ପାଇଁ କାମ କରିବା । ସ୍ୱାର୍ଥ ନଦେଖି ଅନ୍ୟ ପାଇଁ ବଞ୍ଚିବା । ତା’ ଖୁସି ପାଇଁ କାମ କରିବା । ଏହା ହେଲେ ଯାଇ ଜୀବନ ସାର୍ଥକ ହୋଇପାରିବ । ଏଥିସହ ଡ. ଷଡ଼ଙ୍ଗୀ କହିଥିଲେ, ବିଶ୍ୱବିଦ୍ୟାଳୟରେ ପାଠପଢ଼ାଠାରୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଭଲ ବିଶ୍ୱବିଦ୍ୟାଳୟରେ ସର୍ବଦା ଗବେଷଣାକୁ ଗୁରୁତ୍ୱ ଦେଇଥାଏ । ଯେଉଁ ବିଶ୍ୱବିଦ୍ୟାଳୟର ଗବେଷଣା ଅଧିକ ସେହି ବିଶ୍ୱବିଦ୍ୟାଳୟର ଶିକ୍ଷା ଉନ୍ନତମାନର । ମାତ୍ର ଆମ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ଗୁରୁତ୍ୱ ଦିଆଯାଉନି । ଏତଦ୍ ବ୍ୟତୀତ ସେ କହିଛନ୍ତି, ସାରାବିଶ୍ୱରେ ପାଠପଢ଼ାରେ ଏବଂ କର୍ମକ୍ଷେତ୍ରରେ ଉଭୟେ ପୁଅ, ଝିଅ ସମାନ ରହିବା ଦରକାର । ସେ ବିଷୟରେ ବି ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି ।
{"id":802289,"sizeSlug":"full","linkDestination":"none"}ସମ୍ମାନିତ ଅତିଥି ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି. କେ. ନନ୍ଦ କହିଥିଲେ, ଯୁକ୍ତ ୨ ପଢ଼ା ପରେ ନେଉଥିବା ନିଷ୍ପତ୍ତି ଆମ କ୍ୟାରିୟର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ନଦୀ ଯେପରି ନିଜର ପଥ ନିର୍ଦ୍ଧାରଣ କରେ ସେଭଳି ଆମେ ପଥ ନିର୍ଦ୍ଧାରଣ କରିବା । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା । ଆମର ପ୍ରତିଦିନ ପରୀକ୍ଷା ଏବଂ ମୂଲ୍ୟାୟନ ହୁଏ । ସେଥିପାଇଁ ସବୁଦିନ ପ୍ରସ୍ତୁତ ରହିବାକୁ ପଡ଼ିବ । ଏହି ଅବସରରେ ପ୍ରଫେସର ନନ୍ଦ ନୂଆ ଜାତୀୟ ଶିକ୍ଷା ନୀତି ଏବଂ ଆଜିର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟର ପାଠପଢ଼ା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ ।
ଉତ୍ସବରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହେବା ପରେ ଆମ ଉପରେ ଗୁରୁଦାୟିତ୍ୱ ରହୁଛି । ତାହା ହେଉଛି କ୍ୟାରିୟର ପାଇଁ ଉତ୍ତମ ପଥ ବାଛିବା । କାରଣ ଏହା ପରେ ଯେଉଁ ନିଷ୍ପତ୍ତି ନେବା ତାହା କ୍ୟାରିୟର ଗଠନ ପାଇଁ ସହାୟକ ହେବ । ତେଣୁ ଆମର ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ଲୋକଙ୍କ ମାର୍ଗଦର୍ଶନରେ ଉଚିତ୍ ନିଷ୍ପତ୍ତି ନେବାକୁ ହେବ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିବାକୁ ପଡ଼ିବ । ଆମର ଏହି ସମ୍ବର୍ଦ୍ଧନା ଛାତ୍ରଛାତ୍ରୀଙ୍କ ଜୀବନରେ ସଫଳତାର ଦୀପଶିଖା ଜଳାଇବା ପାଇଁ ସହାୟକ ହେବ ବୋଲି ଆଶା କରିବି ।
{"id":802292,"sizeSlug":"full","linkDestination":"none"}କାର୍ଯ୍ୟକ୍ରମରେ ବିଜ୍ଞାନରେ ରାଜ୍ୟର ଶ୍ରେଷ୍ଠ ୧୦୦ ଓ ବାଣିଜ୍ୟରେ ୫୦, ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ବିଭିନ୍ନ କଲେଜର ଅଧ୍ୟାପକ ତଥା ଗୁରୁମାନଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ୍ ସିଇଓ ସୁନୀଲ ଦାସ, ଗ୍ରୁପ୍ ଡାଇରେକ୍ଟର (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତା, ‘ପ୍ରମେୟ’ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରୟଣ ମିଶ୍ର, ମୁଖ୍ୟ ନ୍ୟୁଜ୍ କୋର୍ଡିନେଟର ସୁଦୀପ ରାଉତ, ସୋଆ ବିଶ୍ୱବିଦ୍ୟାଳୟ ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଡ. ଜ୍ୟୋତିରଞ୍ଜନ ଦାସ, ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଇଂରାଜୀ ପୋର୍ଟାଲ୍ ମୁଖ୍ୟ ସୁବ୍ରତ ଦାସ, ଓଡ଼ିଆ ପୋର୍ଟାଲ୍ ମୁଖ୍ୟ ଅମରେଶ ଦାଶ, ମାର୍କେଟିଂ ଆଣ୍ଡ୍ ସେଲ୍ସ ଡିଜିଏମ୍ ଏସ୍. ଏଫ୍. ଅଲ୍ଲୀ, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ‘ନ୍ୟୁଜ୍-୭’ କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ ।
You Can Read :
wp:embed {"url":"https://www.prameyanews7.com/shri-jagannath-puri-book-publics-by-soa-founder-prof-manoj-ranjan-nayak/","type":"wp-embed","providerNameSlug":"prameya-news-7"} /wp:embed