୨୭ରେ ଶୁଖିଲା, ୨୮ ଏବଂ ୨୯ରେ ପୁଣି ବର୍ଷା ! ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

Published By : Prameya-News7 Bureau | December 27, 2024 IST

ଭୁବନେଶ୍ୱର:  ଶୁକ୍ରବାର ଶୁଖିଲା ପାଗ । ଆସନ୍ତାକାଲିଠୁ ପୁଣି ଭିଜିବ ଓଡ଼ିଶା । ପାଣିପାଗ ବିଭାଗର ନୂଆ ଆକଳନ ଚିନ୍ତା ବଢ଼ାଇଲା । ଗତକାଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ୨୭ ତାରିଖରୁ ୩୧ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ଶୀତ ପୁଣି ଥରେ ବଢ଼ିବ । ମାତ୍ର ନୂଆ ଆକଳନ ଅନୁଯାୟୀ, ଆସନ୍ତା ୨୮ ଏବଂ ୨୯ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା ହେବା ନେଇ ଆକଳନ ହୋଇଛି । ପଶ୍ଚିମାଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ପୁଣି ଥରେ ଛାନିଆ ହୋଇପଡ଼ିଛି । 

ବଡ଼ ବର୍ଷା ସମ୍ଭାବନା କମ୍‌ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଫସଲ ବରବାଦ ହୋଇପଡ଼ିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ଏମିତିରେ ପୁଣି ବର୍ଷା ସ୍ଥିତିକୁ ଆହୁରି ବିଗାଡ଼ି ପାରେ । ଅନ୍ୟପକ୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କଲେଣି । ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୭/୨୮ ତାରିଖବେଳକୁ ଉତ୍ତର ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଦୁଇଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ । ମାତ୍ର ଭୁବନେଶ୍ୱର ପାଣିପାଗ ବିଭାଗ କାଲି ଯାଏଁ ଏ ଦିଗରେ କିଛି ବି ସୂଚନା ଦେଇନଥିଲେ । ମାତ୍ର ଆଜି ପୂର୍ବାନୁମାନ ବଦଳାଇଛନ୍ତି । ଗୁରୁବାର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ୨୭ ତାରିଖ ରାଜ୍ୟରେ ପାଗ ପୂରା ଶୁଖିଲା ରହିବ ।

ମାତ୍ର ୨୮ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ସେହିପରି ୨୯ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ର ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇପାରେ । କୌଣସି ସ୍ଥାନରେ ବଡ଼ ବର୍ଷା ନେଇ ଆକଳନ କରାଯାଇନାହିଁ । ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଡିସେମ୍ବର ୩୦, ୩୧ ଏବଂ ଜାନୁଆରୀ ୧ ତାରିଖରେ ରାଜ୍ୟ ସାରା ପାଗ ଶୁଖିଲା ରହିବ । ୨୭ ତାରିଖ ସକାଳେ ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ ମଧ୍ୟମ ଧରଣ କୁହୁଡ଼ି ଆଶଙ୍କା ଅଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମସ୍ୟା ବଢ଼ାଇପାରେ । ଭିନ୍ନ ପୂର୍ବାନୁମାନ ଦେଖାଇଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨୮ ଓ ୩୧ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ । ମାତ୍ର ପଶ୍ଚିମା ଝଡ଼ ପ୍ରଭାବ ଓଡ଼ିଶାରେ ପଡ଼ିବାର ସମ୍ଭାବନା ନାହିଁ । ନୂଆବର୍ଷ ପାଳନ ପାଇଁ ପାଗ ଅନୁକୂଳ ରହିବ । 

ତେବେ ଜାନୁଆରୀ ୩ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ ଏହା ଅଧିକ ଘନୀଭୂତ ହୋଇପାରେ । ମାତ୍ର ଏବେଠାରୁ ଏହାର ରୂପରେଖ ନେଇ କହିବା କଷ୍ଟକର ।  ଡ. ପଶୁପାଳକ କହିଛନ୍ତି, ଗୁରୁବାର ରାତିଠାରୁ ତାପମାତ୍ରା କମିବ । ନୂଆବର୍ଷ ଆଗମନବେଳକୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ଅନେକ ସ୍ଥାନରେ ଶୀତ ଭୀଷଣ ଥାଇପାରେ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.