ଶ୍ରୀନଗରରେ ୫୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଡିସେମ୍ବର ମାସରେ ବିଯୁକ୍ତ ହେଲା ତାପମାତ୍ରା

Published By : Prameya-News7 Bureau | December 22, 2024 IST

ଶ୍ରୀନଗର ୨୨।୧୨: ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ଶ୍ରୀନଗରରେ ୨୩ ଡିସେମ୍ବର ଶନିବାର ରାତି ଗତ ୫ ଦଶନ୍ଧୀରେ ସବୁଠୁ ଥଣ୍ଡା ରାତି ଥିଲା। ତାପମାତ୍ରା ଶୁନରୁ ବିଯୁକ୍ତ ୮.୫ ଡିଗ୍ରି ସେଲସିୟସକୁ ଚାଲିଯାଇଥିଲା। ତେବେ ରବିବାର ସକାଳେ ତାପମାତ୍ରା ଶୁନ୍ୟରୁ ବିଯୁକ୍ତ ୩.୨ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଶୀତ ଲହରର ପ୍ରଭାବ ଏତେ ଥିଲା ଯେ ଡାଲ ହ୍ରଦର ପାଣି ବରଫ ପାଲଟିଛି। ଶୁନରୁ ବିଯୁକ୍ତ ୮.୫ ଡିଗ୍ରି ତାପମାତ୍ରା ସହିତ ଶ୍ରୀନଗରରେ ୧୯୭୪ ମସିହା ପରେ ସବୁଠୁ ଥଣ୍ଡା ଡିସେମ୍ବର ରାତି ପାଲଟିଛି । 

୧୮୯୧ ମସିହା ପରେ ଶ୍ରୀନଗରରେ ଏହା ତୃତୀୟ ସବୁଠୁ ଥଣ୍ଡା ରାତି । ଡିସେମ୍ବର ମାସରେ ଶ୍ରୀନଗରର ଏ ପର୍ଯ୍ୟନ୍ତ ସବୁଠୁ କମ ସର୍ବ ନିମ୍ନ ତାପମାତ୍ରା ୧୩ ଡିସେମ୍ବର ୧୯୩୪ରେ ରେକର୍ଡ କରାଯାଇଥିଲା, ଯେତେବେଳେ ତାପମାତ୍ରା ବିଯୁକ୍ତ ୧୨.୮ ଡିଗ୍ରି ସେଲସିୟସ ହୋଇଯାଇଥିଲା। କାଶ୍ମୀରରେ ୨୧ ଡିସେମ୍ବରରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଥଣ୍ଡା ସମୟକୁ ‘ଚିଲ୍ଲେ କଲାଂ’ କୁହାଯାଏ। ଚଳିତବର୍ଷ ଏହା ୩୧ ଜାନୁୟାରୀ ୨୦୨୫ରେ ଏହା ସମାପ୍ତ ହେବ। ତେବେ ଏହି ସମୟ ପରେ ମଧ୍ୟ ଉପତ୍ୟାକାରେ ଶୀତ ଲହର ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛନ୍ତି। 

କାରଣ ୪୦ ଦିନର ଚିଲ୍ଲେ କଲାଂ ପରେ ୨୦ ଦିନର ଚିଲ୍ଲେ ଖୁର୍ଦ୍ଦ(ସାନ ଥଣ୍ଡା) ଓ ୧୦ ଦିନର ଚିଲ୍ଲେ-ବଚ୍ଚା (ଛୋଟ ଥଣ୍ଡା) ଆରମ୍ଭ ହୋଇଯିବ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଉପତ୍ୟାକାରେ ଭୀଷଣ ଶୀତ ଲହରକୁ ନଜରରେ ରଖି ଜମ୍ମୁରେ ତାଙ୍କର ଆଗାମୀ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ଏବେ ଉତ୍ତର ଭାରତରେ ପଡୁଥିବା ଭୀଷଣ ଥଣ୍ଡାରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବର୍ଷା ସତର୍କତା ଜାରି କରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହୋଇପାରେ। 

ବର୍ଷା ଯୋଗୁ ଥଣ୍ଡା ଆହୁରି ବଢିଯିବ। ଏଥି ପାଇଁ ପାଣିପାଗ ବିଭାଗ ଆଗୁଆ ସତର୍କତା ଜାରି କରିଛନ୍ତି। ବର୍ଷା ପରେ ୭ ଦିନ ପର୍ଯ୍ୟନ୍ତ ଶୀତ ଲହର ଚାଲିବାର ସମ୍ଭାବନା ଥିବା ଆଇଏମଡି ଆକଳନ କରିଛନ୍ତି। ଏଥିରେ ରବିବାର ସକାଳେ ଦିଲ୍ଲୀରେ କୁହୁଡି ହୋଇଥିଲା ଓ ତାପମାତ୍ରା ୮ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଭୀଷଣ ଥଣ୍ଡା ପଡୁଥିବାରୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲୋକେ ଏବେ  ନିଆଁ ପୁଆଉଁଥିବା ଦେଖାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.